ଦଶହରା ବୁଲି ଯାଇଥିଲେ, ଯୁବକଙ୍କୁ ପିଟିପିଟି ମାରିଦେଲେ

ଧର୍ମଗଡ, ଏନ୍ଏନ୍ଏସ୍: ଦଶହରା ବୁଲିବା ପଡିଲା ମହଙ୍ଗା। ପ୍ରେମିକାଙ୍କ ଗାଁକୁ ଦଶହରା ବୁଲି ଯାଇଥିଲେ ପ୍ରେମିକ । ହେଲେ ଦଶହରା ବୁଲିବା ବୁଲିବା ପୂର୍ବରୁ ପ୍ରେମିକାଙ୍କ ପରିବାର ଲୋକଙ୍କ ହାତରେ ଯୁବକଙ୍କ ଜୀବନ ଯାଇଛି। ପ୍ରେମିକାଙ୍କ ପରିବାର ଲୋକେ ତାଙ୍କପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅବାବାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଗୋଲାମୁଣ୍ଡା ଥାନା ଖଲିଆକାନୀର ଦିଲ୍ଲୀପ ମେହେର କଏନ୍ଦିମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ହେଲେ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହାରି ଭିତରେ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କ ଅନ୍ୟ ଜଣଙ୍କ ସହିତ ବାହାଘର ଠିକ କରିଥିଲେ। ଗତକାଲି ଦଶହରା ଥିବାରୁ ସଞ୍ଜ ବେଳେ ଦିଲ୍ଲୀପ ଓ ତାଙ୍କ ସାଙ୍ଗ ପ୍ରେମିରକାଙ୍କୁ ଦେଖା କରିବା ପାଇଁ କଏନ୍ଦିମୁଣ୍ଡା ଗାଁକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକେ ଜାଣିପାରି ଦିଲ୍ଲୀପଙ୍କୁ ଘେରି ଯାଇ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀପଙ୍କ ସାଙ୍ଗ ସେଠାରୁ ଚମ୍ପଟ ମାରି ପୂରା ଘଟଣା ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଖଲିଆକାନୀ ଗାଁକୁ ଯାଉଥିଲେ। ସେଠାରେ ଦିଲ୍ଲୀପଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଅବସ୍ଥାରେ ପାଇଥିଲେ। ଏନେଇ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।