ବଟି ଆଦାୟକୁ ନେଇ ହତ୍ୟାକାଣ୍ଡ: ୧ ଗିରଫ, ୩ ଅଟକ

  • ଢେଙ୍କାନାଳ, ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲାରେ ବେଆଇନ ପଥର ଖାଦାନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ତହସିଲ ପକ୍ଷରୁ ବେଆଇନ ପଥର ଖାଦାନ ଉପରେ ଅଙ୍କୁଶ ନଲଗାଯିବା ଯୋଗୁଁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଥିବା ଅଭିଯୋଗ ହେଉଛି। ଏପରିକି ବେଆଇନ ପଥର ଖାଦାନରୁ ମାସିକ ଲକ୍ଷାଧିକ ଟଙ୍କା ବଟି ଆଦାୟକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଗୋଷ୍ଠୀ ବିବାଦ ମଧ୍ୟ ଦେଖିବାକୁ ମିଳୁଛି। ପ୍ରକାଶ ଯେ, ବଳଦିଆବନ୍ଧ ଅଞ୍ଚଳର ମିଥୁନ ଜେନା ଶନିବାର ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଅଞ୍ଚଳର ଅବ୍ୟବହୃତ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ବସିଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି। ୪ ଜଣ ଯୁବକ ଖଣ୍ଡା ଓ ଫାର୍ସା ଆଦି ମାରଣାସ୍ତ୍ର ସହ ଆକ୍ରମଣ କରି ମିଥୁନକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବାବେଳେ ଜଣେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପ୍ରଦୀପ କୁମାର ସାହୁ। ସୂଚନାଯୋଗ୍ୟ, ମିଥୁନ ବିଭିନ୍ନ ସମୟରେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ବଟି ଆଦାୟ କାର୍ଯ୍ୟରେ ଲିପ୍ତ ରହୁଥିଲା। ବଳଦିଆବନ୍ଧ ଅଞ୍ଚଳର କିଛି ଯୁବକ ମାସିକ ୪ଲକ୍ଷ ୫୦ ହଜାରରୁ ୫ ଲକ୍ଷ ଟଙ୍କା ବଟି ଆଦାୟ କରିଥାନ୍ତି। ବେଆଇନ ପଥର କଟା ଓ ବଟି ଆଦାୟ ପାଇଁ ମିଥୁନ କୁରୁମଟାଙ୍ଗର ଅଞ୍ଚଳକୁ ଯାଇଥିବାବେଳେ ସେହି ଅଞ୍ଚଳର ବେଆଇନ ପଥର କାଟୁଥିବା ଯୁବକଙ୍କ ସହ ବଚସା ହୋଇଥିଲା। ବଚସାରୁ ଉଭୟଙ୍କ ମଧ୍ୟରେ ମାରପିଟ ହେବା ସହ ଏହା ଉଗ୍ରରୂପ ଧାରଣ କରିଥିଲା। ଏହି ବିବାଦ ପରେ ମିଥୁନ ଜେଲ୍ ଯାଇ ଜାମିନରେ ଆସିଥିଲା। ତେବେ ପୂର୍ବରୁ ତିକ୍ତତା ଲାଗି ରହିଥିବାବେଳେ ଶନିବାର ରାତିରେ ମିଥୁନଙ୍କୁ ହତ୍ୟା କରାଯାଇଛି।