ଅଧିନାୟକଙ୍କ ପରେ ବଦଳିଲେ କୋଚ, ଜିମ୍ବାୱେ ଗସ୍ତରେ ରହିବେନି ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଖୁବ ଶୀଘ୍ର ଜିମ୍ବାୱେ ଗସ୍ତ କରିବ । ସେଠାରେ ଘରୋଇ ଟିମ୍ ସହିତ ୩ଟି ଦିନିକିଆ ମ୍ୟାଚ ଖେଳିବ । ଆସନ୍ତା ୧୮ ତାରିଖ ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ତେବେ ଏହି ଗସ୍ତ ପାଇଁ ଦିନକ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ କୋଚ ମଧ୍ୟ ବଦଳି ହୋଇଛି । ଏହି ଶୃଙ୍ଖଳାରେ ଟିମ ଇଣ୍ଡିଆର ନିୟମିତ କୋଚ ରାହୁଲ ଦ୍ରାବିଡ ଅନୁପସ୍ଥିତ ରହିବେ । ତାଙ୍କ ସ୍ଥାନରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷବଚ୍ଚ ଭାରତୀୟ କ୍ରିକେଟ ଟିମ ସହିତ ଜିମ୍ବାୱେ ଗସ୍ତ କରିବେ ।

ବିସିସିଆଇ ସଚିବ ଜୟ ଶାହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଜିମ୍ବାୱେ ଗସ୍ତ ପାଇଁ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଟିମର କୋଚ ରହିବେ । କାରଣ ବରିଷ୍ଠ ଟିମ୍‌କୁ ଏସିଆ କପ ପାଇଁ ୟୁଏଇ ଟ୍ରାଭେଲ କରିବାର ଅଛି । ନିୟମିତ ଟିମ ଏହି ଟିମ ସହିତ ଗସ୍ତ କରିବେ । ତେବେ ଲକ୍ଷ୍ମଣଙ୍କ ପାଇଁ ଏହି ଗୁରୁଦାୟିତ୍ୱ ନୂଆ ନୁହେଁ । ନିକଟରେ ଭାରତୀୟ ଟିମ୍ ଆୟରଲାଣ୍ଡ ଗସ୍ତ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଟି-୨୦ ଶୃଙ୍ଖଳା ଆୟରଲାଣ୍ଡରେ ଖେଳିଥିଲା । ସେହି ସମୟରେ ଟିମ ଇଣ୍ଡିଆର କୋଚର ଭୂମିକା ତୁଲାଇଥିଲେ ଭିଭିଏସ ଲକ୍ଷ୍ମଣ ।