ଗୋରୁ ଚୋରି ରାକେଟ କିଙ୍ଗପିନ ଗିରଫ, ୨ ଫେରାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରୁ ଗୋରୁ ଚୋରି କରି ନେଉଥିଲେ ଓ ବିକ୍ରି କରୁଥିଲେ ମୟୁରଭଞ୍ଜରେ। କିଙ୍ଗପିନ ରହିଥିଲା ଭଦ୍ରକ ଜିଲ୍ଲାରେ। ଶେଷରେ ଦେବଗଡ଼ ଥାନା ପୁଲିସ ହାତରେ ଧରା ହେଲା କିଙ୍ଗ ପିନ। ଜବତ ହେଲା ଗୋରୁ ଚୋରି କରୁଥିବା ବୋଲେରୋ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରୀ ୨୬ ତାରିଖ ଠାରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଖାରୁମୁଣ୍ଡା, କାପାସିରା, କୁରେଇବାହାଲ, କାଉଁଶିବାହାଳ, ଗୋପାଳପାଲି ଓ ପତ୍ରପାଲି ଆଦି ଗ୍ରାମରୁ ଗ୍ରାମବାସୀଙ୍କ ଗୁହାଳରୁ ରାତ୍ରୀ ସମୟରେ ନିୟମିତ ଗୋରୁ ଚୋରି ହୋଉଥିଲା।

ଏନେଇ ଦେବଗଡ଼ ଥାନାରେ ଭିନ୍ନ ଭିନ୍ନ ୮ଟି ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ରାତ୍ରିକାଳୀନ ଚେକିଂକୁ ଜୋରଦାର କରିଥିଲା। ଏହି କ୍ରମରେ ଫେବୃଆରୀ ୧୫ ତାରିଖ ରାତିରେ ଏକ ବୋଲେରୋ ଓଡି-୨୨ବି-୩୨୩୬ ମଧ୍ୟରେ ୫ଟି ଗୋରୁ ଚାଲାଣ ହେଉଥିବା ସୂଚନାପାଇ ଭୋର ସମୟରେ ପୁଲିସ ଗାଡିକୁ ପିଛା କରିଥିଲା। ଦ୍ରୁତ ଗତିରେ ଗୋରୁ ଚୋରା ଚାଲାଣ କରୁଥିବା ବୋଲେରୋ ଚକ ଫାଟିଯିବାରୁ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା।

ପୁଲିସ ଘଟଣାସ୍ଥଳରୁ ବୋଲେରୋ ମଧ୍ୟରୁ ୫ଟି ଗୋରୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହି ଘଟଣାର କିଙ୍ଗପିନ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦୀଡିହ ଗ୍ରାମର ସେକ ଆବୁ ରାଜା ବୋଲି ଜାଣିବା ପରେ ଗତକାଲି ଭଦ୍ରକରୁ କିଙ୍ଗପିନ ସେକ ଆବୁ ରାଜାକୁ ଗିରଫ କରିଥିବା ବେଳେ ତାର ଅନ୍ୟ ଦୁଇ ସହଯୋଗୀ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସେକ ହିଦାୟତ ଓ ଗୁଲାମ ମୁସ୍ତଫା ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି। ଆଜି ଅଭିଯୁକ୍ତ କିଙ୍ଗପିନ ଆବୁ ରାଜାକୁ କୋର୍ଟ ଚାଲାଣ କରାଯାଇଛି।