କୋଭିଡ-୧୯ ଷ୍ଟାଫକୁ ପୁଣି ନିଯୁକ୍ତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ କୋଭିଡ ସମୟରେ ବିଭିନ୍ନ ଚିକିତ୍ସାଳୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଗତ ଡିସେମ୍ବର ୩୧ ତାରିଖରୁ ଚାକିରିରୁ ବାହାର କରି ଦିଆଯାଇଛି । ଫଳରେ ସେମାନେ ବେରୋଜଗାର ହୋଇପଡିଛନ୍ତି । ତେଣୁ ସେମାନଙ୍କୁ ଜିଲ୍ଲରେ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରି ଜିଲ୍ଲାର ଏଏନଏମମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ।

ସେମାନେ କହିଛନ୍ତି ଯେ, କୋଭିଡ଼ ସମୟରେ ଝାରସୁଗୁଡା ଜିଲ୍ଲାରେ କାର୍ଯ୍ୟରତ ଥିବା ହାଇଟେକ ହସ୍ପିଟାଲର କର୍ମଚାରୀମାନେ ଏବେ ମଧ୍ୟ ଝାରସୁଗୁଡାରେ କାର୍ଯ୍ୟରତ ଅଛନ୍ତି, ହେଲେ କୋଭିଡ ସମୟରେ କାର୍ଯ୍ୟରତ ପାରାମେଡ଼ିକାଲ ଷ୍ଟାଫ ତଥା ଅନ୍ୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏହି କର୍ମଚାରୀମାନେ ସ୍ୱାବ କଲେକ୍ସନ, କୋଭିଡ ରୋଗୀର ଚିକିତ୍ସା  ଏବଂ ଲ୍ୟାବ୍ ରେ ବିଭିନ୍ନ ପ୍ରକାର ପରୀକ୍ଷଣ କରୁଥିଲେ। ସେମାନଙ୍କୁ ହଠାତ୍ ଚାକିରିରୁ ବାହାର କରିଦେବା ଏହି କୋଭିଡ ଯୋଦ୍ଧାଙ୍କ ପ୍ରତି ଏକ ପ୍ରକାର ଅନ୍ୟାୟ ଅଟେ । ତେଣୁ ସେମାନଙ୍କୁ ଶୀଘ୍ର ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି  କୋଭିଡ ଯୋଦ୍ଧାମାନେ ଦାବି କରିଛନ୍ତି ।