ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ୍ର ଦ୍ୱିତୀୟ ଲହର ଏବେମଧ୍ୟ ବଳବତ୍ତର ରହିଛି ଏବଂ ଏଥିପ୍ରତି ସତର୍କ ରହିବାକୁ ପଡିବ ବୋଲି ନିତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ଡ. ଭିକେ ପଲ୍ ଚେତାବନୀ ଦେଇଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪୨,୭୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁନଶ୍ଚ ଏହି ସମୟରେ ୧୨୦୬ ଜଣ କୋଭିଡ୍ରେ ପ୍ରାଣ ହରାଇଛନ୍ତି। ତେଣୁ ସାମାନ୍ୟ ଅବହେଳା ପ୍ରଦର୍ଶନ କଲେ, ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସେ କହିଛନ୍ତି।
କେତେକ ରାଜ୍ୟରେ କଟକଣା କୋହଳ ହେବାପରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ପରିଲକ୍ଷିତ ହେଉଛି। ଏହାକୁ ନେଇ ଡ. ପଲ୍ ଚିନ୍ତାବ୍ୟକ୍ତ କରିଛନ୍ତି। ଜୀବନ ଓ ଜୀବିକା ମଧ୍ୟରେ ବାଲାନ୍ସ ରକ୍ଷା କରିବା ଜରୁରୀ, କିନ୍ତୁ କଟକଣାକୁ ଅଣଦେଖା କରି ଜୀବନକୁ ବିପନ୍ନ କରିବା ମୁର୍ଖାମୀ ବୋଲି ସେ କହିଛନ୍ତି। ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୯୫,୭୧୬କୁ ବୃଦ୍ଧି ପାଇଥିବାବେଳେ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଲେଣି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୫୫,୦୩୩ରେ ପହଞ୍ଚିଛି। ଏହି ପ୍ରସଙ୍ଗରେ କେରଳ ସର୍ବାଗ୍ରେ ରହିଛି।
ବିଗତ ୨୪ ଘଣ୍ଟାରେ ସେଠାରେ ୧୩,୫୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମାମଲାରେ ମହାରାଷ୍ଟ୍ରକୁ ଟପିଯାଇଛି କେରଳ। ଇତିମଧ୍ୟରେ ପ୍ରାୟ ୪୩ କୋଟି ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୩୬ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟରେ ୧.୭୩ କୋଟିରୁ ଊର୍ଦ୍ଧ୍ୱ ଟିକା ଗଚ୍ଛିତ ରହିଥିବା ସେ କହିଛନ୍ତି।