ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଜାରି ରହିବ କଟକଣା: ଜିଲ୍ଲାପାଳ

ଦେବଗଡ଼,ଏନ୍ଏନ୍ଏସ୍: ଦେଶ ତଥା ରାଜ୍ୟରେ ସଂପ୍ରତି କରୋନା ମହାମାରୀ କାୟାବିସ୍ତାର କରିଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀରୁ ରକ୍ଷା ନିମନ୍ତେ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ଆଦେଶ କ୍ରମେ ଜିଲ୍ଲା ପୁଲିସ ପ୍ରଶାସନ ସାମାଜିକ ଦୂରତ୍ୱକୁ ପାଳନ ପାଇଁ ଜନସାଧାରଣଙ୍କୁ ବାରମ୍ବାର ସଚେତନତା କରିବା ସହିତ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବଗଡ଼ ପୌରାଞ୍ଚଳରେ କୋଭିଡ ନିୟମ ପାଳନକୁ ଅତ୍ୟଧିକ କଡାକଡି ଭାବେ ପାଳନ କରାଯାଉଥିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ପ୍ରତ୍ୟକ୍ଷ ଭାବେ ପୌରାଞ୍ଚଳର ଦୋକାନ ବଜାର, ସାହି ଗଳି ବୁଲି ସାମାଜିକ ଦୂରତା ଓ ମାସ୍କ ବ୍ୟବହାରର ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି। ଜିଲ୍ଲାପାଳ କୋଭିଡ କଟକଣା ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ଦୋକାନକୁ ସିଲ କରୁଥିବାରୁ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ଅସନ୍ତୋଷ ଆଗାମୀ ଦିନରେ ଉଗ୍ର ରୂପ ଧାରଣ କରିବ ବୋଲି ଆଶଙ୍କା ହେଉଛି।

ଅନ୍ୟପଟେ ପୌରାଞ୍ଚଳ ବାହାରେ ଜିଲ୍ଲା ପ୍ରଶାସନର କୋଭିଡ ନିୟମକୁ ଖୋଲାଖୋଳି ଉଲ୍ଲଂଘନ କରାଯାଉଥିବାବେଳେ ଜିଲ୍ଲାପାଳ ଶ୍ରୀ ସାମଲ ପୌରାଞ୍ଚଳରେ କୋଭିଡ ନିୟମକୁ କଡ଼ାକଡ଼ି କରିଥିବାରୁ ବହୁ ଜନସାଧାରଣ ଏହାକୁ ନାପସନ୍ଦ କରିଛନ୍ତି। ଆଜି ଜିଲ୍ଲାପାଳ ଶ୍ରୀ ସାମଲଙ୍କ ସମେତ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଦେବଗଡ଼ ତହସିଲଦାର ପଲ୍ଲବି ନାଏକ, ପୌରପରିଷଦ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ, ଏସଆଇ କଳ୍ପନା ବେହେରା, ବୁଦ୍ଧରାଏ ମାଝୀଙ୍କ ସମେତ ପୁଲିସ ଓ ପୌରପରିଷଦ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୧ ହଜାର ଟଙ୍କା ଜୋରିମାନ ଆଦାୟ କରିବା ସହ ଗୋଟେ ଚା’ ଦୋକାନକୁ ସିଲ କରିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ରଖିଛନ୍ତି। ସେ କହିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ବିପଦ ଟଳିନାହିଁ। ତେଣୁ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏହି କୋଭିଡ କଟକଣା ଜାରି ରହିବ। ପୌରାଞ୍ଚଳ ସମେତ ଏହା ଗ୍ରାମାଞ୍ଚଳରେ ମଧ୍ୟ ଲାଗୁ କରାଯିବ। ଏନେଇ ଲୋକେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି।