ଏମ୍ସରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଏହି ଟିକା ଦିଆଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୫ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। ପ୍ରଖ୍ୟାତ ଔଷଧ ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବା ବେଳେ ଚଳିତ ମାସରେ ଏହାର ୩ୟ ପର୍ଯ୍ୟାୟ ବା ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ସାରାଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ। ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ।