ନୂଆଦିଲ୍ଲୀ,ଏଜେନ୍ସି: ସବୁଠୁ ବଡ ଟିକାକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ୨-୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କରୋନା ଟିକା ‘କୋଭାଭ୍ୟାକ୍ସ’ର ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ୍ ପରୀକ୍ଷା କରିବା ଅନୁମତିକୁ ଡିସିଜିଆଇ ପ୍ରତ୍ୟାଖାନ କରିଛି।
ସେରମ୍ ଇନଷ୍ଟିଚ୍ୟୁଟ୍ ସୋମବାର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରେ ୧୦ଟି ସ୍ଥାନରେ ୯୨୦ ପିଲାଙ୍କ ଉପରେ କୋଭାଭାକ୍ସ ଟିକା ପରୀକ୍ଷା ପାଇଁ ଅନୁମୋଦନ ମାଗିଥିଲା।
ସୂଚନାନୁସାରେ, ଆବେଦନ ଉପରେ ବିଚାର ବିମର୍ଶ କରି ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର କରୋନା ଭାଇରସ୍ ଉପରେ ଥିବା ବିଶେଷଜ୍ଞ କମିଟି ଜାଣିବାକୁ ପାଇଛି ଯେ ଏପର୍ଯ୍ୟନ୍ତ କୌଣସି ଦେଶରେ ଏହି ଟିକାକୁ ଅନୁମତି ଦିଆଯାଇ ନାହିଁ। ସେ କହିଛନ୍ତି ଯେ ପିଲାମାନଙ୍କ ଉପରେ କୋଭାଭାକ୍ସ ଟିକା ପରୀକ୍ଷା କରିବାକୁ ଅନୁମତି ଦେବା ପାଇଁ ବୟସ୍କଙ୍କ ଉପରେ ଏହି ଟିକାକରଣର କ୍ଲିନିକାଲ ପରୀକ୍ଷଣର ନିରାପତ୍ତା ଓ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ କମ୍ପାନୀ ଦାଖଲ କରିବା ଉଚିତ ବୋଲି କମିଟି ପରାମର୍ଶ ଦେଇଛି। ଯଦି ଏହା ଅନୁମୋଦିତ ହୋଇଥାନ୍ତା, କୋଭାଭ୍ୟାକ୍ସ ଭାରତର ତୃତୀୟ ଟିକା ହୋଇଥାନ୍ତା।
ମାର୍ଚ୍ଚରେ ଭାରତରେ ଏହି ଟିକା ପରୀକ୍ଷା ଆରମ୍ଭ ହୋଇଥିଲା। ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା କହିଥିଲେ ଯେ ଏହି ଟିକା ସେପ୍ଟେମ୍ବର ସୁଦ୍ଧା ଭାରତରେ ପହଞ୍ଚିପାରେ। ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଡ ଟିକା ମଧ୍ୟ ପ୍ରସ୍ତୁତ କରିଛି।