କଟକଣା କୋହଳ ପରେ ନାହିଁ ନଥିବା ଭିଡ଼, ବିଏମ୍‌ସିର ଚଢାଉ ପରେ ସିଲ୍ ହେଲା ବିଶାଲ ମେଗା ମାର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଜୁଲାଇ ମାସର ଲକଡ଼ାଉନ୍ ପ୍ରକ୍ରିୟା। ଫଳରେ ଆଜି ରାସ୍ତାଘାଟରେ ନାହିଁ ନଥିବା ଭିଡ଼ ଜମିଛି। ସରକାର ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି, ହେଲେ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ତାହା ପୁଣି କିଛି ସମୟ ବ୍ୟବଧାନରେ। ତେବେ ଏହାରି ଭିତରେ ଭୁବନେଶ୍ୱର ଆଇଡ଼ି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼।

ଦୋକାନ ଭିତରେ କୋଭିଡ ନିୟମ ଉଲ୍ଲଂଘନ କରି ସାମଗ୍ରୀ ବିକ୍ରି କରୁଥିଲେ ଦୋକାନୀ। ତେଣୁ ବିଏମସି ସ୍କ୍ବାଡର ଚଢଉ ପରେ ଏହାକୁ ସିଲ୍ କରାଯାଇଛି। ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛନ୍ତି ସରକାର। ସେହିପରି ଅନେକ ଜିଲ୍ଲାରେ କଟକଣା କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି। ୨୦ ଜିଲ୍ଲାରୁ ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି। ତେବେ ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।