ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ବାହାରିଥିଲେ ଦମ୍ପତି, ଦୁର୍ଘଟଣା ନେଇଗଲା ଉଭୟଙ୍କ ଜୀବନ

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଯିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ମିଳିଥିବା ସୂଚନା ଅନୁସାରେ, ରାଉରକେଲାରେ ରହୁଥିବା ନିଜ ପିତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଖବରପାଇ ସୁରେନ୍ଦ୍ର ତାଙ୍କ ପତ୍ନୀ ଓ ସମ୍ପର୍କୀୟଙ୍କ ସହ ମଙ୍ଗଳବାର ରାତିରେ ନିଜ ଘରୁ ଏକ କାର ଯୋଗେ ରାଉରକେଲା ଯାଉଥିଲେ। ସକାଳ ସମୟରେ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ଗଛରେ ପିଟି ହୋଇଥିଲା।

ଉଭୟ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବରପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।