ରିଷିଡ଼ାରେ ନକଲି ନୋଟ୍ କାରବାର, ଜଣେ ଗିରଫ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ରିଷିଡ଼ା ଗାଁରେ ଏମ୍ ରାମପୁର ଥାନା ପୁଲିସ ନକଲି ନୋଟ୍ କାରବାର କରୁଥିବାବେଳେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହାସହ ଅଭିଯୁକ୍ତଠାରୁ ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ଏବଂ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଜବତ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁନ୍ଦେଇପାଲି ଗାଁର ବିରେନ୍ଦ୍ର ସୁନା । ବିରେନ୍ଦ୍ର ରିଷଡ଼ା ଗାଁର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତା’ ପାଖରେ ପହଞ୍ଚିଥିଲା । ଯାଞ୍ଚ ପରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି । ଜବତ ଟଙ୍କାର ମୂଲ୍ୟ ୨୦ହଜାର ଟଙ୍କା ହେବ । ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଓ ଏସଆଇ ଶ୍ରିରାଜ ପାଢ଼ୀ ଉପସ୍ଥିତ ଥିଲେ ।