ଆକ୍ରମଣ ପରେ ସୁରକ୍ଷା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟାଳୟରେ ତାଲା ପକାଇଲେ ପୌର କର୍ମଚାରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ପରିଷଦରେ ଗତ କିଛିଦିନରୁ ଲାଗି ରହିଥିବା ଅଶାନ୍ତି ଦିନକୁଦିନ ଗୁରୁତର ହେଉଥିବା ଦେଖିବାକୁ ମିଳିଛି । ଗତ ଜୁଲାଇ ୨୫ ତାରିଖରୁ ୧୫ ଦଫା ଦାବୀ ନେଇ ପୌର ପରିଷଦର ୬ ବିଜେପି କାଉନଶିଲର ଓ ଜଣେ ସ୍ୱାଧୀନ କାଉନଶିଲର ଜାରି ରଖିଥିବା ଆମରଣ ଅନଶନ ଆଜି ୧୩ ଦିନରେ ପହଞ୍ଚି ଥିବାବେଳେ କୌଣସି ଅଘଟଣ ଆଶଙ୍କାରେ ପୁଲିସ ଓ ଦମକଳ ବାହିନୀ କର୍ମଚାରୀଙ୍କ ପକ୍ଷରୁ ଅନଶନକାରୀଙ୍କୁ ଜଗି ରହିଛନ୍ତି । ଇତିମଧ୍ୟରେ ଗତକାଲି ଅପରାହ୍ନରେ ସହରର ୩ଜଣ ଠିକାଦାର ପୌର କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ୟରତ ଆକାଉଣ୍ଟ ସ୍ପେଶାଲିଷ୍ଟ ରାକେଶ କୁମାର ନାୟକଙ୍କୁ ପୁଲିସ ଉପସ୍ଥିତିରେ ମାଡ଼ ମାରିବା ସହ ଅନ୍ୟ କେତେକ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଆଜି ପୌର କର୍ମଚାରୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସୁରକ୍ଷା ଦାବିରେ ଏକ ସ୍ମାରକ ପତ୍ର ଦେବାସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ସେହିପରି ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ପୌର କାର୍ଯ୍ୟାଳୟର ସମସ୍ତ ବିଭାଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।