ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମନରେଗା କାର୍ଯ୍ୟରେ ମହା ଦୁର୍ନୀତି, ପ୍ରଶାସନ ଘଣ୍ଟ ଘୋଡାଉଛି

ଖପ୍ରାଖୋଲ,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣା ଶୁଣା। ଖପ୍ରାଖୋଲ ବ୍ଲକ  କୌଣସି ନା କୌଣସି ମନରେଗା କାର୍ଯ୍ୟକୁ ନେଇ ଘୋଟାଲାରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମରେ।

ସୂଚନା ଅନୁଯାୟୀ ଚଳିତ ବର୍ଷ ଚୋରମୁଡା ଗ୍ରାମର ବନ୍ଧନାଳ ଉନ୍ନତିକରଣ ପାଇଁ ୮ ଲକ୍ଷ ଟଙ୍କା ରାଶି ଅଟକଳରେ କାମ ଅନୁମୋଦନ ହୋଇଥିବା ବେଳେ ୬ ଲକ୍ଷ୍ୟ ୧୨ ହଜାର ୯୯୪ ଟଙ୍କାର କାମ ହୋଇ କାଗଜ ପତ୍ରରେ ବିଲ ପାରିତ ହୋଇଛି, ହେଲେ କାର୍ଯ୍ୟଟା ସେଠାରେ ୫% ପ୍ରତିଶତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ପ୍ରଥମେ କୌଣସି ସରକାରୀ କାର୍ଯ୍ୟ କରିବା ପୂର୍ବରୁ ସୂଚନା ଫଳକ ଲାଗିବା କଥା ସେଇଟା ପୁଣି ନାହିଁ। ସେଠାରେ ନିୟୋଜିତ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ଆଶ୍ଚର୍ଯ୍ୟର କଥା କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ କାର୍ଯ୍ୟସ୍ଥଳକୁ ନଯାଇ ମାଟି ନ ନାପି କେମିତି ବିଲ ତିଆରି କଲେ ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଉନାହାନ୍ତି। ଯେଉଁମାନେ ଦଶ ବର୍ଷ ପାଞ୍ଚ ବର୍ଷ ହେଲାଣି ମୃତ୍ୟୁ ବରଣ କଲେଣି ସ୍ୱର୍ଗତ ରାମପ୍ରସାଦ ତାଣ୍ଡି, ସ୍ୱର୍ଗତ ତୁଳସୀ ପ୍ରସାଦ ନାଗ, ସ୍ୱର୍ଗତ ସୁରୁ ଭୋଇ ସେମାନେ ମଧ୍ୟ ମନରେଗା କାର୍ଯ୍ୟରେ ନିୟୋଜିତ ଥିବା ଏବଂ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପକେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ ମନରେଗା ଯୋଜନାରେ କାର୍ଯ୍ୟ ହୋଇଥିବା ଜ଼ିରୋ ଗ୍ରାଉଣ୍ଡକୁ ଯାଇ କାର୍ଯ୍ୟକୁ ତଦାରଖ କରିଥିଲେ କି ? ଏ ବିଷୟରେ ଗ୍ରାମବାସୀ ଖପ୍ରାଖୋଲ ବିଡ଼ିଓ ମହାଶୟଙ୍କୁ ଅବଗତ କରିଥିଲେ ମଧ୍ୟ ତାହାର ଆଜି ପର୍ଯ୍ୟନ୍ତ କିଛି ଉତ୍ତର ମିଳିପାରିନାହିଁ। ଏନେଇ ଚୋରମୁଡା ଗ୍ରାମର କିଛି ଲୋକ ସୋମବାର ବଲାଙ୍ଗିର ଜିଲ୍ଲାପାଳ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ, ଜିଆରଏସ ସରୋଜ ଭୋଇ ଓ ଗାଁ ସାଥି ଶ୍ରୀମନ୍ତ ତାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବଂ ବନ୍ଧନାଳର ତଦନ୍ତ ପାଇଁ ଅଭିଯୋଗ କରିଥିଲେ। ପ୍ରଶାସନ କେମିତି ସତ୍ୟତା ବାହାର କରି ଲୋକ ଲୋଚନକୁ ଆଣି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗ୍ରାମବାସୀ ତାହା ଅପେକ୍ଷା କରିଛନ୍ତି।