ଛତିଶଗଡ଼ ଓ ଚଣ୍ଡିଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଛତିଶଗଡ଼ ଓ ଚଣ୍ଡିଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚଣ୍ଡିଗଡ଼ରେ ଜଣେ ୨୩ ବର୍ଷୀୟା ଯୁବତୀ କରୋନାରେ ସଂକ୍ରମିତ ହୋଇଥିବା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ଏହି ଯୁବତୀ ଜଣକ ଗତ ରବିବାର ଇଂଲଣ୍ଡରୁ ଫେରିଥିଲେ। ତାଙ୍କଠାରେ ଜ୍ୱର, କାଶ ଓ ସର୍ଦ୍ଦିର ଲକ୍ଷଣ ଜଣାପଡ଼ିବା ପରେ ତାଙ୍କୁ ସେକ୍ଟର-୩୨ ସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି।

ସେହିପରି ଛତିଶଗଡ଼ରେ ଜଣେ ୨୪ ବର୍ଷୀୟା ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ରାଜ୍ୟରେ ଏହା ହେଉଛି ପ୍ରଥମ କରୋନା ସଂକ୍ରମଣ। ମହିଳା ଜଣଙ୍କୁ ରାୟପୁରସ୍ଥିତ ଏମ୍ସରେ ଆଇସୋଲେସନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ଲଣ୍ଡନରୁ ଫେରି ଇନ୍ଦୋର ଦେଇ ରାୟପୁରରେ ମାର୍ଚ୍ଚ ୧୫ରେ ପହଞ୍ôଚଥିଲେ। ତାଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଇନଥିଲା। କିନ୍ତୁ ସେ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲାବେଳେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଗୁରୁବାର ସକାଳେ ମୁମ୍ବାଇରେ ୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଫଳରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ସେହିପରି କର୍ଣ୍ଣାଟକର କୁର୍ଗରେ ଜଣଙ୍କର ପଜିଟିଭ୍ ରିପୋର୍ଟ ମିଳିବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ôଚଛି।