ମାଲକାନଗିରି ଜିଲ୍ଲାକୁ ପାଦ ଥାପିଲା କରୋନା: ୨ ପଜିଟିଭ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ପ୍ରଥମ କରି ମାଲକାନଗିରି ଜିଲ୍ଲାରେ କରୋନା ପାଦ ଥାପିଛି। ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି-୭୨ ଗ୍ରାମର ସଂଗରୋଧ କେନ୍ଦ୍ରରେ ଥିବା ୨ଜଣ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ଉଭୟ ଚେନ୍ନାଇ ଫେରନ୍ତା ବୋଲି ଜଣାପଡ଼ିଛି। ଚେନ୍ନାଇରୁ ଫେରିବା ପରେ ଉଭୟଙ୍କୁ ଏମଭି-୭୨ସ୍ଥିତ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବା ପରେ ଏହା ପଜିଟିଭ ଆସିଛି। ତେବେ ସେଠାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ଖବର ମିଳିବା ପରେ ଗତକାଲି ରାତ୍ରିରୁ ଏମଭି-୭୨ସ୍ଥିତ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଛାତ୍ରାବାସର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତକାଲି ରାତ୍ରି ୯ଟାରୁ ଆସନ୍ତା ୨୬ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି କଣ୍ଟେନମେଣ୍ଟ ଅବଧି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟଗତ ସେବାକୁ ଛାଡ଼ି ଅନ୍ୟସବୁକୁ ବନ୍ଦ କରିଦିଆଯାଇଛି। ସେହିପରି ଏମଭି-୭୨ ଅଞ୍ଚଳକୁ ବୋଫର ଜୋନ ଭାବେ ଘୋଷଣା କରାଯିବା ସହ ସକ୍ରମିତଙ୍କ ସମ୍ପର୍କୀୟଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସଂଗରୋଧ କେନ୍ଦ୍ର ନିକଟରେ ପୁଲିସ ମୁତୟନ କରାଯାଇଛି।

ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୂନା ପରୀକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଜନସାଧାରଣ ସାମାଜିକ ଦୂରତା, ମାସ୍କ ବ୍ୟବହାର ସହ ସମସ୍ତ ନିୟମ ପାଳନ କରିବାକୁ ପରାମର୍ଶ ଦେବା ସହ କେହି ଭୟଭୀତ ନ ହେବାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।