ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି : ଜିଲ୍ଲାପାଳ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି। ସହର ଓ ଗ୍ରାମଞ୍ଚଳରେ ଡୋର ଟୁ ଡୋର ସ୍କ୍ରିନିଂ ହୋଇଥିବାରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏବେ ବି ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇଛି। ଅଗଷ୍ଟ ମାସରେ ବିଶେଷ କରି ବ୍ରହ୍ମପୁର ସହରର ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି। ଏହି ସମୟରେ କେବଳ ଅତି ଆବଶ୍ୟକ ହେଉଥିବା ଲୋକଙ୍କୁ ଯିବାକୁ ଦିଆଯିବ। ଏଥିସହିତ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ନିୟମ ପରବର୍ତ୍ତନ କରାଯାଇଛି। ଫଳରେ ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜିଲ୍ଲାରେ ଦୋକାନ ବଜାର ଖୋଲା ରହିବ। କିନ୍ତୁ ଦୋକାନୀଙ୍କୁ ୫ଟି ନିୟମ ପାଳନ କରିବାକୁ ପଡ଼ିବ। ଦୋକାନୀ ଗ୍ରାହକଙ୍କ ନାଁ ଓ ଠିକଣା ଲେଖି ରହିବେ। ଦୋକାନ ସମ୍ମୁଖରେ ବ୍ୟାରିକେଡ, ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜାର ବ୍ୟବହାର ପରି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।