ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାକୁ ନେଇ ବଡ଼ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ସଂକ୍ରମଣର ପିକ୍ ଚାଲି ଗଲାଣି । ଟିକାକରଣ ଯୋଗୁ ଏଥର ସ୍ଥିତି ଠିକ୍ ରହିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଲା । କିନ୍ତୁ ଏବେ ବି ଅବହେଳା କରିବା ଠିକ୍ ନୁହେଁ । କରୋନା ମାମଲା କମିବାରେ ଲାଗିଛି । ରାଜ୍ୟ ସରକାର ଖୁବଶୀଘ୍ର ବୈଠକ କରି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବେ । ଏହି ସମୟରେ କେନ୍ଦ୍ର ସରକାରଙ୍କ ରାୟ ମଧ୍ୟ ନିଆଯିବ । ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ହିଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବେ । ଏହାପରେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରାଯିବ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆହୁରି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ବୟସ୍କଙ୍କୁ ଭ୍ୟାକ୍ସିନର ଉଭୟ ଡୋଜ୍ ଦିଆସରିଛି । ୭୩ ପ୍ରତିଶତ କିଶୋର ଭ୍ୟାକ୍ସିନ ଡୋଜ୍ ନେଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୭୬୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୦ହଜାର ୧୧୬ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁସ୍ଥ ହାର ୯୦.୦୮ ପ୍ରତିଶତ ରହିଛି ।