ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୮୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୧୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୬୭ ଜଣଙ୍କ ଚିକିତ୍ସା ଜାରି ରହିଛି। ତେବେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଓ ଗୃହ ସଙ୍ଗରୋଧରେ ରଖି ଚିକିତ୍ସା ପ୍ରଦାନ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଜିଲ୍ଲାରେ ଥିବା ଯୋଗ୍ୟ ସୁସ୍ଥ ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରାଯାଇ ଅନ୍ୟ ଆକ୍ରାନ୍ତଙ୍କୁ ପ୍ଲାଜମା ଥେରେପି ମଧ୍ୟ ପ୍ରଦାନ କରାଯାଉଛି।

ପ୍ରକାଶଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୩୫ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୨୮ଜଣ, ଝାରସୁଗୁଡ଼ା ବ୍ଲକରୁ ଜଣେ, ଲଖନପୁର ବ୍ଲକ ଅଞ୍ଚଳରୁ ୧୦ଜଣ, ଲଇକେରା ବ୍ଲକ ଅଞ୍ଚଳରୁ ୫ଜଣ ଓ କୋଲାବିରା ବ୍ଲକରୁ ୪ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଅନ୍ୟ ୨ଜଣ ଦ୍ୱିତୀୟଥର ପାଇଁ କରୋନାରେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।