ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଏବେ କିଛି ଦେଶରେ କମିଥିଲେ ମଧ୍ୟ ପୁଣି ଫେରିବାର ସମ୍ଭାବନା ରହିଛି ବୋଲି ଡବ୍ଲ୍ୟୁଏଚଓ ଚେତାବନୀ ଦେଇଛି। ଡବ୍ଲ୍ୟୁଏଚଓର କହିବା ମୁତାବକ, ଏହି ମହାମାରୀରୁ ବଂଚିବା ଉପାୟରେ ଯଦି ଟିକେ ବି ଢ଼ିଲା କରାଯାଏ ତେବେ ଦେଶରେ କରୋନା ସଂକ୍ରମଣର ବିପଦ ଅଧିକ ବଢ଼ିପାରେ। ଏଥି ସହିତ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକୁଇନ ଔଷଧକୁ ବ୍ୟବହାର ନକରିବାକୁ ମଧ୍ୟ ଡବ୍ଲ୍ୟୁଏଚଓ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଡବ୍ଲ୍ୟୁଏଚଓର ଏମରଜେନ୍ସୀ ପ୍ରୋଗ୍ରାମର ପ୍ରମୁଖ ଡାକ୍ତର ମାଇକ ରିୟାନ କହିଛନ୍ତି କି, ‘ସମଗ୍ର ବିଶ୍ୱ ଏବେ କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ରହିଛି। ମହାମାରୀ ସର୍ବଦା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆସିଥାଏ। ଏହାର ଅର୍ଥ ହେଉଛି, ଯେଉଁ ଦେଶରେ କରୋନାର ପ୍ରକୋପ ଥମି ଯାଇଛି ବର୍ଷର ଶେଷ ସୁଦ୍ଧା ସେଠାରେ ପୁଣିଥରେ ଏହି ସଂକ୍ରମଣ ଫେରିପାରେ।’
ଡ. ରିୟାନଙ୍କ କହିବାନୁସାରେ, ୟୁରୋପ ଓ ଉତ୍ତରୀ ଆମେରିକୀୟ ଦେଶର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସାମାଜିକ ଆବଶ୍ୟକତା ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ସେଠାରେ ଟେଷ୍ଟିଂ ପ୍ରକିୟା ଜାରି ରଖିବା ସହ ବ୍ୟାପକ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଫଳରେ ଲଗାତାର ଭାବେ କରୋନା ପ୍ରକୋପ କମିବା ସହ ଆମେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବୁ ନାହିଁ।