ଝରିଗାଁରେ ଲେଉଟିଲା କରୋନା

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ କରୋନା ପୁଣି କାୟାବିସ୍ତାର କରିବାରେ ଲାଗିଛି। ମାର୍ଚ୍ଚ ମାସ ୧୯ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଝରିଗାଁ ବ୍ଲକରେ ୧୮ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଶେଷ କରି କୁଟ୍ରିଛାପର ପଞ୍ଚାୟତର ଚିକିଲି ଅଞ୍ଚଳରେ ଅଧିକ କରୋନା ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସ ୧୯ ତାରିଖରେ ବିଷମପୁରିଆସାହିରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୧ ତାରିଖରେ ଝରିଗାଁ ଏବଂ ଚିକିଲି ଗ୍ରାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏପ୍ରିଲ ୧ ତାରିଖରେ ଚିକିଲି ଗ୍ରାମର ୩ ଜଣ, ୪ ତାରିଖରେ ଚିକିଲି ଏବଂ ଝରିଗାଁର ୪ ଜଣ, ୭ ତାରିଖରେ ଚିକିଲିରେ ୬ଜଣ ଏବଂ ଝରିଗାଁରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଜି ଝରିଗାଁରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

କରୋନାର ଭୟାବହତାକୁ ଦୃଷ୍ଟି ରେ ରଖି ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ଓ ଝରିଗାଁ ପୁଲିସ ପ୍ରଶାସନ ତରଫରୁ କରୋନା ନିୟମକୁ କଡାକଡି ପାଳନ କରିବା ସହିତ ଜନ ସାଧାରଣଙ୍କୁ ସଚେତନ କରୁଛନ୍ତି। ଆଜି ଝରିଗାଁ ତହସିଲଦାର ହୃଷିକେଶ ଗଣ୍ଡ ଏବଂ ଥାନାଧିକାରୀ ଉମେଶ କୁମାର ସାହୁ ଏକ ଟିମ୍ ସହିତ ସହରାଞ୍ଚଳରେ ବୁଲି ମାସ୍କ ବ୍ୟବହାର ଉପରେ ତନଖି ସହିତ ସମସ୍ତଙ୍କୁ ବୁଝାଇଥିଲେ ଏଥର ଅମାନିଆ ହେଲେ ଦୋକାନ ସିଲ କରାଯିବା ନେଇ ସତର୍କ କରାଇଥିଲେ।