ଦିନକରେ ପୁଣି ୨୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଗଲାଣି ୧୯ ହଜାର ୬୯୩ ଜୀବନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢୁଛି ମହାମାରୀ କରୋନା ଆତଙ୍କ। ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ଭାରତ ୩ୟ ସ୍ଥାନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଭାରତରେ ୨୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୧୯ ହଜାର ପାର କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦେଶରେ ୨୪ ହଜାର ୨୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୯ ହଜାର ୬୯୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୫୩ ହଜାର ୨୮୭ ଜଣ ସକ୍ରିୟ ଅଛନ୍ତି।