କରୋନା ଭୟ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୩ ଘଣ୍ଟା ଧରି ଛଟପଟ ହେଲ ଗର୍ଭବତୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଯୋଗୁଁ ବର୍ତ୍ତମାନ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କରୋନା ଭୟରେ ସାଧାରଣ ରୋଗୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳିପାରୁ ନାହିଁ। ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଣେ ଗର୍ଭବତୀ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କରୋନା ଭୟରେ ତାଙ୍କୁ ଚିକିତ୍ସାଳୟ ଭିତରକୁ ପ୍ରବେଶ କରାଇନଥିଲେ। ୩ ଘଣ୍ଟାର ବେଦନା, ମା’ ବାପାଙ୍କ କାକୁତି ମିନତି ଓ ଡ. ପରେକୃଷ୍ଣ ଶତପଥୀଙ୍କ ହସ୍ତକ୍ଷେପ ପରେ ଗର୍ଭବତୀଙ୍କୁ ଚିକିତ୍ସାଳୟ ଭିତରକୁ ନିଆଯାଇଥିଲା।

ସୂଚନା ଅନୁଯାୟୀ ଆଜି ଭୋର ପ୍ରାୟ ୫ଟାରେ ବନ୍ଧବାହଲ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରୀତି କୁମରଙ୍କୁ ତାଙ୍କ ବାପା ରାଜେଶ ସୁନା ଓ ମା’ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆମ୍ବୁଲାନ୍ସ ତାଙ୍କୁ ଛାଡିଦେଇଥିଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରକୁ ପ୍ରବେଶ ଦ୍ୱାର ବନ୍ଦ ଥିବାରୁ ଗର୍ଭବତୀ ଝିଅକୁ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ବାପା-ମା’ କାକୁତି ମିନତି କରିଥିଲେ। ଏହି ସମୟ ଭିତରେ ଗର୍ଭବତୀ ଜଣଙ୍କ ପ୍ରସବ ବେଦନା ସହ୍ୟ କରିନପାରି ଚିକିତ୍ସାଳୟ ସମ୍ମୁଖରେ ତଳେ ଶୋଇ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

ପ୍ରାୟ ୩ ଘଣ୍ଟା ପରେ ଗର୍ଭବତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜଣେ ଗର୍ଭବତୀ ଚିକିତ୍ସାଳୟ ସମ୍ମୁଖରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ମଧ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କରୋନା ଭୟରେ ତାଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ ନକରିବା କରୋନା କାଳରେ ଜିଲ୍ଲାବାସୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।