ଖଏରଟ୍ ଗ୍ରାମର ଦ୍ୱାର ମାଡ଼ି ପାରିନି କରୋନା ଭୂତାଣୁ

ବରଗଡ଼,ଏନ୍ଏନ୍ଏସ୍: ଗାଁ’ଠାରୁ ସଚେତନତା ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟାପକ କଲେ ଆମେ କରୋନା ଭୂତାଣୁ ସଂକ୍ରମଣକୁ ମାତ୍ ଦେଇପାରିବା। କରୋନାକୁ ମାତ୍ ଦେବାକୁ ହେଲେ ଆମ ସମସ୍ତଙ୍କୁ ନିଜସ୍ୱ ଉଦ୍ୟମରେ ସଚେତନ ହେବା ଦରକାର। ଏଭଳି ଭାବେ ଆଇନକୁ ମାନି ସଚେତନ ରହିଥିବାରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଖଏରଟ୍ ଗ୍ରାମକୁ ଏପର୍ଯ୍ୟନ୍ତ ପ୍ରଥମ କିମ୍ବା ଦ୍ୱିତୀୟ ଲହର କରୋନା ଭୂତାଣୁ ସ୍ପର୍ଶ କରିପାରିନାହିଁ। ଏପରିକି ଗ୍ରାମର ଜଣେ ମଧ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଟିକାକୁ ଗ୍ରହଣ କରିନାହାନ୍ତି। ସେମାନଙ୍କ ମନରେ ଭ୍ରାନ୍ତ ଧାରଣା ଭରି ରହିଛି ଯେ ଯେହେତୁ କରୋନା ସଂକ୍ରମଣ ହୋଇନାହିଁ ତେବେ ଟିକା କ’ଣ ପାଇଁ ଦରକାର। ଟିକା ନେଲେ ଗ୍ରାମବାସୀ ଆହୁରୀ ସୁରକ୍ଷିତ ରହନ୍ତେ, ମାତ୍ର ସେମାନେ ତାହା ଶୁଣୁ ନାହାନ୍ତି।

ଛତିଶଗଡ଼ ରାଜ୍ୟ ଦ୍ୱିତୀୟ ଲହରରେ ଅଧିକ ସଂକ୍ରମିତ ହୋଇଥିବାବେଳେ ସୀମାକୁ ଲାଗିଥିବା ଏହି ଗ୍ରାମ ମଧ୍ୟ ସଂକ୍ରମିତ ହେବ ବୋଲି ଆଶଙ୍କା ରହିଥିଲା। ମାତ୍ର ଗ୍ରାମର ବୃଦ୍ଧବୃଦ୍ଧାଙ୍କ ଠାରୁ ଶିଶୁ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ଥିବାରୁ ଏପର୍ଯ୍ୟନ୍ତ କରୋନା ମୁକ୍ତ ଗ୍ରାମ ଭାବେ ଖଏରଟ୍ ଗ୍ରାମ ଆଗେଇ ଚାଲିଛି। ଏପରିକି ଆଗକୁ ମଧ୍ୟ ଗାଁକୁ କରୋନା ସ୍ପର୍ଶ କରିପାରିବନି ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଶନିବାର ବିଜେପି ରାଜ୍ୟ ଯୁବମୋର୍ଚ୍ଚ ସଭାପତି ଇରାସିସ୍ ଆଚାର୍ଯ୍ୟ ଗ୍ରାମକୁ ଯାଇ ଲୋକଙ୍କୁ ମାକ୍ସ ବଣ୍ଟନ ସହିତ ସାନିଟାଇଜ୍ କରି ସମସ୍ତ ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାସହିତ ସମସ୍ତ ଗ୍ରାମରେ ଏଭଳି ଉଦ୍ୟମ ଜାରି ରହିଲେ କରୋନା କାହାରିକି ଛୁଇଁ ପାରିବନି ବୋଲି ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରାମର ସୀମାକୁ ବ୍ୟାରିକେଟ୍ ଦିଆଯାଇଛି। ଗାଁ ଲୋକଙ୍କ ବିନା ଅନୁମତିରେ ଗ୍ରାମକୁ କେହି ପ୍ରବେଶ କରିପାରିବେ ନାହିଁ। ସେହିପରି ଗାଁ’କୁ ପଶିବା ପରେ ପ୍ରତ୍ୟେକ କାନ୍ଥରେ ଲେଖା ହୋଇଛି ସାବୁନରେ ହାତ ଧୁଅନ୍ତୁ। ଏଥିସହ ସମସ୍ତଙ୍କ ଘର ଦ୍ୱାର ମୁହଁରେ ପାଣି ବାଲଟି, ମଗ୍ ଓ ସାବୁନ ରଖାଯାଇଛି। ସେହିପରି ଗାଁର ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ଉଜ୍ୱଳା ଦିଦି, ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ସମୟରେ ଗାଁରେ ବୁଲିବୁଲି ସଚେତନ କରୁଛନ୍ତି। ସମସ୍ତ ଗ୍ରାମବାସୀ ସର୍ବଦା ମାକ୍ସ ପିନ୍ଧି ରହୁଛନ୍ତି, ସାନିଟାଇଜ୍ ହେଉଛନ୍ତି ଓ ବାରମ୍ବାର ସାବୁନରେ ହାତ ଧଉଛନ୍ତି।