ଧାରାବୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୯

ମୁମ୍ବାଇ,ଏଜେନ୍ସି: ମୁମ୍ବାଇ ଧାରାବୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗତକାଲି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ପରିବାର ଓ ପଡୋଶୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ତେବେ ଆଜି ସେମାନଙ୍କୁ ନମୂନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଏଥିସହ ମୃତ ବ୍ୟକ୍ତି ରହୁଥିବା କୋଠାକୁ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ସିଲ କରାଯାଇଛି। ତେବେ ଧରାବୀରେ ଏଭଳି ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଚିନ୍ତା ପ୍ରକଟ କରିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରେ ସର୍ବାଧିକ ମୁମ୍ବାଇର ବୋଲି ଜଣାପଡ଼ିଛି। ସେହିପରି ଗତକାଲି ଦକ୍ଷିଣ ମୁମ୍ବାଇର ଅର୍ଲି କୋଲିଆଡା ଅଞ୍ଚଳରୁ ୮୬ ଜଣଙ୍କୁ କ୍ୱାରେଣ୍ଟିନ ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ୧୪୫ଟି ହଟସ୍ପଟ ଚିହ୍ନଟ ହୋଇଛି। ଏଥିସହ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ୨ ଜଣ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବାରୁ ଜଶଲୋକ ହସ୍ପିଟାଲର ଆଉଟଡୋରକୁ ବନ୍ଦ ରଖାଯାଇଛି। ଏବଂ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।