ଦେଶରେ କରୋନା ମାମଲା ୧୩ ଲକ୍ଷ ଟପିଲା: ମୃତ୍ୟୁସଂଖ୍ୟା ୩୧ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ୧୩ଲକ୍ଷ ୩୬ ହଜାର ୮୬୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧ ହଜାର ୩୫୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ଲକ୍ଷ ୪୯ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୪ଲକ୍ଷ ୫୬ ହଜାର ଲୋକ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୫୭ ଜଣଙ୍କର ମୃତ୍ୟୁ ଘଟିଛି।

କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଦେଶରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ୩ଲକ୍ଷ ୫୭ ହଜାର ୧୧୭ ଆକ୍ରାନ୍ତ ହୋଇଥିବାବେଳେ ୧୩ହଜାର ୧୩୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ତାମିଲନାଡ଼ୁରେ ୧ଲକ୍ଷ ୯୯ହଜାର ୭୪୯ ଲୋକ ସଂକ୍ରମିତ ହୋଇଥିବାବେଳେ ୩,୩୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦିଲ୍ଲୀରେ ୧ଲକ୍ଷ ୨୭ହଜାର ୩୬୪ ସଂକ୍ରମିତଙ୍କ ମଧ୍ୟରୁ ୩,୭୭୭ ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ କରୋନା ମାମଲା ପାଖାପାଖି ୩ ସପ୍ତାହରେ ଦୁଇଗୁଣା ହୋଇଛି। ଜୁଲାଇ ୨ରେ ୬ଲକ୍ଷ ମାମଲା ଥିବାବେଳେ ଜୁଲାଇ ୨୪ରେ ତାହା ୧୩ଲକ୍ଷକୁ ବୃଦ୍ଧି ପାଇଛି। ଗତ ଶୁକ୍ରବାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଥିଲା ଯାହାକି ସପ୍ତାହକ ମଧ୍ୟରେ ପାଖାପାଖି ଆଉ ୩ଲକ୍ଷ ବଢ଼ିଯାଇଛି।