ପ୍ଲାଜମା  ଦାନ ପାଇଁ ପ୍ରୋତ୍ସାହିତ କରିବେ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ନୂଆ ଆଶା ସଞ୍ଚାର କରିଛି। ଏହି ଚିିକିତ୍ସା ପଦ୍ଧତି ଦ୍ୱାରା କଟକର ଜଣେ ୪୮ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି। ଗୋଟିଏ ପଟେ କରୋନାର ମୁକାବିଲା ପାଇଁ କୌଣସି ଟିକା ବାହାରି ନଥିବା ବେଳେ ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ପ୍ଲାଜମା ଥେରାପିକୁ ନେଇ ନୂଆ ସମ୍ଭାବନା ଓ ଆତ୍ମବିଶ୍ୱାସ ଦେଖାଦେଇଛି। ଯାହାଫଳରେ ସରକାରୀସ୍ତରରେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ଯୋରଦାର ଉଦ୍ୟମ ଆରମ୍ଭ ହୋଇଛି। ପୂର୍ବରୁ ପ୍ରଥମେ ଏନଡିଆରଏଫ ଜବାନମାନେ ପ୍ଲାଜମା ଦାନ କରିଥିଲେ। ସେହିପରି ପ୍ଲାଜମା ଦେବା ଲାଗି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସେମାନଙ୍କ କର୍ମଚାରୀଙ୍କୁ କହିଥିବା ବେଳେ କିଛି ପୁଲିସ ମଧ୍ୟ ପ୍ଲାଜମା ଦାନ କରିଛନ୍ତି। ତେବେ ପ୍ଲାଜମା ଥେରାପିର ମହତ୍ୱତା ଅନୁଭବ କରି ରାଜ୍ୟରେ ପ୍ଲାଜମା ଦାନକୁ ବଳଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ରାଜ୍ୟରେ ପ୍ଲାଜମା ସଂଗ୍ରହକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ସହ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ୍ୟ ହେବ ବୋଲି ଆଶା କରାଯାଉଛି।

ସାଧାରଣତ ଜନପ୍ରତିନିଧିମାନେ ଲୋକଙ୍କ ସହ ସିଧାସଳଖ ଭାବେ ଜଡ଼ିତ ଥାନ୍ତି। ତେଣୁ ବର୍ତ୍ତମାନର ପରିସ୍ଥିତିରେ ପ୍ଲାଜମା ଦାନର ଆବଶ୍ୟକତା ଏବଂ ଗୁରୁତ୍ୱକୁ ଜନପ୍ରତିନିଧିମାନେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କୁ ଭଲଭାବେ ବୁଝାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ରହିଛି। ଯାହାଫଳରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ମନ୍ତ୍ରୀମାନେ ସେମାନଙ୍କୁ ମିଳିଥିବା ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ୍ ରୋଗୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିବେ। ନିୟମିତ ବ୍ୟବଧାନରେ ନିଜେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବାବେଳେ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଦାୟିତ୍ୱ ଦିଆଯାଇଛି।

ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ବୌଦ୍ଧ, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ଡ.ଅରୁଣ ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ସୁଶାନ୍ତ ସିଂହଙ୍କୁ ବଲାଙ୍ଗିର ଓ ସମ୍ବଲପୁର, ନବ ଦାସଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ଟୁକୁନି ସାହୁଙ୍କୁ ଦେବଗଡ଼ ଓ ସୁନ୍ଦରଗଡ଼, ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରିର ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କଟକରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଓଡ଼ିଶାବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ମୋର ଲକ୍ଷ୍ୟ। ପ୍ଲାଜମା ଥେରାପି ଏ ଦିଗରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।