କଟକରେ ଉପରମୁହାଁ କୋରୋନା ଗ୍ରାଫ, ନିୟମ ଉଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ,ଏନ୍ଏନ୍ଏସ୍: ଧୀରେ ଧୀରେ କଟକରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଛି। ଗତ ତିନି ଦିନରେ ସହରରୁ ମୋଟ ୪୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେଲେଣି। ବୁଧବାର ୧୨, ଗୁରୁବାର ୧୩ ଏବଂ ଶୁକ୍ରବାର ୧୭ ଜଣ ନୂଆ ଆକ୍ରାନ୍ତ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଗୋଟିଏ କ୍ଲଷ୍ଟରରୁ ଚିହ୍ନଟ ହେବା ଘଟଣା ସିଏମସିର ଚିନ୍ତା ବଢାଇଛି।

ଗୁରୁବାର ରାତିରେ ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲରେ ୧୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବଂ ସମସ୍ତ ଆକ୍ରାନ୍ତ ସେଠାକାର ଅନ୍ତେବାସୀ ବୋଲି ଜଣାପଡ଼ିଛି। ଏହାପରେ ସେହି ଆଶ୍ରମ ସ୍କୁଲକୁ ସିଏମସି ଆସନ୍ତା ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ନିଷ୍ପତି ନେଇଥିବା ବେଳେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହା ସହିତ ସେଠାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ସିଏମସି। କୋଭିଡର କେଉଁ ଷ୍ଟ୍ରେନ୍ ସେଠାରେ ସଂକ୍ରମଣ ବୃଦ୍ଧି ଘଟାଇଛି ତାହା ଜାଣିବା ପାଇଁ ୭ ଆକ୍ରାନ୍ତଙ୍କ ସ୍ୱାବକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ୭ଟି ମଧ୍ୟରୁ ୪ଟି ନମୁନାକୁ ଆରଏମଆରସି ଏବଂ ୩ଟି ଆଇଏଲଏସକୁ ପଠାଯିବ।

ଏହାବ୍ୟତୀତ ଶୁକ୍ରବାର ଦିନ ମୋଟ ୧୧ ଶହ ଲୋକଙ୍କର ସ୍ୱାବ ସଂଗ୍ରହ ହୋଇଛି। କିନ୍ତୁ ଯେହେତୁ ଗୋଟିଏ କ୍ୟାମ୍ପସରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତେଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ନଥିବା ଜଣାପଡିଛି। ସେହିପରି କଟକରେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳୁଛି। ସିଏମସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶନିବାର ଚିହ୍ନଟ ହୋଇଥିବା ନୁଆ ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ମଧ୍ୟ ରହିଛନ୍ତି। ସହରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରରେ ପୁଣି ଥରେ କୋଭିଡ ନିୟମକୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିବ ପୁଲିସ।

ପ୍ରଥମେ ସଚେତନତା ଏବଂ ପରେ ଖିଲାପିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକରେ ଏବେ କିଛି ଦିନ ହେଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ତାକୁ ଦେଖି ପୁଣିଥରେ କୋଭିଡ ଗାଇଡଲାଇନ ପାଳନ ଉପରେ ନଜର ରଖାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ଏବଂ ତାପରେ ଖିଲାପିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।