ଆଜି ଭାରତ-ଚୀନ କୋର କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଏବଂ ଚୀନ୍‌ର ମଧ୍ୟରେ ଏଲଏସିରେ ଉତ୍ତେଜନା କମିବାର ନା ନେଉନାହିଁ। ଗୋଟିଏ ପରେ ଗୋଟିଏ ଆଲୋଚନାର ଉଲଙ୍ଘନ କରୁଛି ଚୀନ ସେନା। ଏହା ମଧ୍ୟରେ ଆଜି ପୁଣି ଲାଇନ୍ ଅଫ୍ ଆକ୍ଟୁଆଲ କଣ୍ଟ୍ରୋଲକୁ ନେଇ ମଲଡୋ ଠାରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଡି ଫାକ୍ଟୋ ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଲଦାଖର ଫିଙ୍ଗର ଅଞ୍ଚଳରେ ଚୀନ୍‌ର ସମ୍ପୂର୍ଣ୍ଣ ‌ସେନା ପ୍ରତ୍ୟାହାର ଉପରେ ଭାରତ ଧ୍ୟାନ ଦେବ ବୋଲି ସେନା ସୂତ୍ରରୁ ପ୍ରକାଶ। ଏ ନେଇ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ ଆଜି କୋର କମାଣ୍ଡର ସ୍ତରୀୟ ଆଲୋଚନା ହେଉଥିବା ଜଣାପଡ଼ିଛି। ଗଲୱାନ୍ ଉପତ୍ୟକାରେ ୨ ଦେଶ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନାକୁ ଦୂର କରିବା ପାଇଁ ଏହା ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନା।

ଜୁନ ୧୫ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଉତ୍ତେଜନାକୁ କିପରି ଦୂର କରାଯିବ ସେନେଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସପ୍ତାହେ ଧରି ଆଲୋଚନା ହୋଇଥିଲା। ଭାରତ ଗୁରୁବାର ଏକ ବିବୃତ୍ତିରେ କହିଥିଲା ଯେ, ପୂର୍ବ ଲଦାଖରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଅଗ୍ରଗତି ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିନାହିଁ। ଦୁଇ ଦେଶର ସେନା ନିଜ ସୀମାରେ ଥିବା ଅଧିକାଂଶ ସ୍ଥାନରେ ସୈନ୍ୟ ପ୍ରତ୍ୟାହାରକୁ ସମାପ୍ତ କରିଥିବା ନେଇ ଚୀନ କରିଥିବା ଦାବିର ଉତ୍ତର ରଖି ଭାରତ ପକ୍ଷରୁ ଏଭଳି ମନ୍ତବ୍ୟ ରଖାଯାଇଥିଲା।