୧୫ ଦିନରେ ପହଂଚିଲା ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍: ଝାରସୁଗୁଡ଼ାର ସମସ୍ତ ସମବାୟ ସମିତିର କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରୁଥିବା ଧାରଣା ଆଜି ୧୫ ଦିନରେ ପହଞ୍ଚିଛି। ଧାରଣାସ୍ଥଳକୁ ପଶ୍ଚିମ ଓଡ଼ିଶା ସେବା ସମବାୟ ସମିତି କର୍ମଚାରୀ ମହାସଂଘର ସଭାପତି ପ୍ରଦୀପ ଗୁରୁ, ସମଲେଶ୍ୱରୀ ସମବାୟ ସମିତି କର୍ମଚରୀ ସମ୍ବଲପୁରର ଉପସଭପତି ଭଗବାନ ପଟେଲ ଓ ଜିଲ୍ଲା କୃଷକ ସଂଗଠନର ସାଧାରଣ ସମ୍ପାଦକ ସୁରେନ୍ଦ୍ର ସାହୁ ପ୍ରମୁଖ ପହଂଚି ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏହି ଅବସରରେ ଚାଷୀନେତା ରଘୁମଣି ପ୍ରଧାନ, ସମାଜସେବୀ ନିର୍ମଳ କୁମାର ମିଶ୍ର, ଜଗବନ୍ଧୁ ସା ଓ ବିରଞ୍ଚି ସାହୁ ପ୍ରମୁଖଙ୍କ ସହ ସମବାୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।
ପ୍ରକଶଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୧୪୩୯୨କୁ ରଦ୍ଦ କରି ଏହି ପଦବୀରେ ସମସ୍ତ ସେବା ସମବାୟ ସମିତି କର୍ମଚାରୀଙ୍କୁ ଅବସ୍ଥାପିତ, ଚାଷୀ ଧାନ କ୍ରୟ ବିକ୍ରୟ ପଞ୍ଜିକରଣ, ଧାନ କ୍ରୟକୁ ନେଇ ଦୋଷାରୋପ କରି ସମ୍ପାଦକ ଓ ଡିଇଓଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦାନ କରାଇବା, ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସମ୍ପାଦକ, ସହ ସମ୍ପାଦକ, ପିଅନ, ଜଗୁଆଳୀ ଓ ଡିଇଓଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରି ଆରସିଏସ(ଓ)ଙ୍କ ପତ୍ର ହିସାବରେ ସମସ୍ତ କର୍ମଚାରୀଙ୍କୁ ସ୍କେଲ ଦରମା ପ୍ରଦାନ କରିବାକୁ ନେଇ ଦାବି କରିଛନ୍ତି। ଏଥିସହିତ ସମବାୟ ବିଭାଗର ଏଚଆର ପୋଲିସି ୨୦୧୧ ଅନୁସାରେ ସେବା ସମବାୟ ସମିତି କର୍ମଚାରୀଙ୍କୁ ପଦୋନ୍ନତି କରାଇବା, ସରକାରଙ୍କ ସପ୍ତମ ବେତନ କମିଶନ ହିସାବରେ ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରି ବର୍ଦ୍ଧିତ ଡିଏ ଓ ଅବସରକାଳୀନ ସମସ୍ତ ସୁବିଧା ଯୋଗାଇ ଦେବା ଦାବିରେ ଝାରସୁଗୁଡ଼ା ଜିଲ୍ଲାର ୩୨ଟି ସେବା ସମବାୟ ସମିତିର କର୍ମଚାରୀମାନେ ଗତ ୨୯ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରୁଛନ୍ତି।