ଓପିଜିସି ଆଶପଣ୍ଡରୁ ସେନୋସ୍ପିୟର ସଂଗ୍ରହକୁ ନେଇ ବିବାଦ, ୩୩ ମହିଳାଙ୍କୁ ଅଟକ ରଖିଲା ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି)ର ତିଲିଆ ମୌଜାସ୍ଥିତ ଆଶପଣ୍ଡରୁ ସେନୋସ୍ପିୟର(ସ୍ଲରି) ସଂଗ୍ରହକୁ ନେଇ ଠିକା ସଂସ୍ଥା ଓ ସ୍ଥାନୀୟ ମହିଳା ସଂଗଠନ ମଧ୍ୟରେ ବିବାଦ ଦେଖାଦେଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବନହରପାଲି ପୁଲିସ ୨୩୦ ବସ୍ତା ସେନୋସ୍ପିୟର ଜବତ କରିବା ସହ ୩୩ ଜଣ ମହିଳାଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ ମେହେର ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଓପିଜିସିଠାରୁ ସେନୋସ୍ପିୟର ସଂଗ୍ରହ କରିବା ପାଇଁ ବୈଷ୍ଣବୀ ଟ୍ରେଡର୍ସ ନାମକ ଠିକା ସଂସ୍ଥା ନିୟୋଜିତ ହୋଇଛି। ତେବେ ସ୍ଥାନୀୟ ତିଲିଆ ନୂଆଁପଡ଼ା ଅଞ୍ଚଳର କେତେକ ମହିଳା ସଂଗଠନ ପକ୍ଷରୁ ଏହାକୁ ବିରୋଧ କରିବା ସହ ସଂଗଠନର ସଦସ୍ୟାମାନେ ପାଉଁଶ ପୋଖରୀକୁ ଯାଇ ସେନୋସ୍ପିୟର ସଂଗ୍ରହ କରିଥିଲେ। ସମ୍ପୃୃକ୍ତ ଠିକା ସଂସ୍ଥାର ସାଇଡ ଇନ୍ଚାର୍ଜ ଡୋଲାମଣି ବାଦି ମହିଳାମାନଙ୍କୁ ବାରଣ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା। ଏନେଇ ସାଇଡ ଇନ୍ଚାର୍ଜ ଶ୍ରୀ ବାଦି ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ମହିଳା ଗ୍ରୁପର ସଦସ୍ୟଙ୍କୁ ବୁଝାସୁଝା କରିଥିଲା। ହେଲେ ମହିଳା ଗ୍ରୁପର ସଦସ୍ୟମାନେ ତାଙ୍କ ଜିଦରେ ଅଟଳ ରହିବାରୁ ୩୩ଜଣ ମହିଳାଙ୍କୁ ଥାନାକୁ ନେବା ସହିତ ସେମାନେ ସଂଗ୍ରହ କରିଥିବା ୨୩୦ ବସ୍ତା ସେନୋସ୍ପିୟରକୁ ଜବତ କରିଥିଲା। ପରେ ଥାନାରେ ମହିଳାଙ୍କୁ ବୁଝାସୁଝା କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ଥାନାଧିକାରୀ ଶ୍ରୀ ମେହେର ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଓପିଜିସିର ୩ ଓ ୪ ୟୁନିଟ ଉତ୍ପାଦନକ୍ଷମ ହେବା ପରେ ସେଥିରୁ ନିର୍ଗତ ପାଉଁଶକୁ ରଖିବାକୁ ତିଲିଆ ମୌଜାଠାରେ ଆଶପଣ୍ଡ ନିର୍ମାଣ କରାଯାଇଛି। ଆଶପଣ୍ଡରେ ତରଳ ପାଉଁଶ ଗଚ୍ଛିତ ରହୁଥିବାରୁ ସେହି ଅଞ୍ଚଳକୁ କମ୍ପାନୀ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ହେଲେ ସେହି ତରଳ ପାଉଁଶରେ ମୂଲ୍ୟବାନ ସେନୋସ୍ପିୟର(ସ୍ଲରି) ଭାସୁଥିବାରୁ ତାକୁ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ଅସୁରକ୍ଷିତ ଭାବରେ ପାଉଁଶ ପୋଖରୀକୁ ପ୍ରବେଶ କରୁଥିଲେ। ତେବେ ପାଉଁଶ ପୋଖରୀରେ ଯେପରି କୌଣସି ଅଘଟଣ ନଘଟୁ ସେଥିପାଇଁ ତାଲିିମପ୍ରାପ୍ତ ଠିକା ସଂସ୍ଥାକୁ ସେନୋସ୍ପିୟର ସଂଗ୍ରହ ପାଇଁ ଓପିଜିସି ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଛି।