ଝାରସୁଗୁଡାରେ ୭ମ କରୋନା ରେଗୀ: ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ସପ୍ତମ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ଜିଲ୍ଲା ପ୍ରଶାସନ ଚିହ୍ନଟ ହୋଇଥିବା ମେଡ଼ିକାଲ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଚିହ୍ନଟ ବ୍ୟକ୍ତି ଜଣଙ୍କ ପୁରୁଣା ବସ୍ତି ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ। ସେ ଗତ ୨୧ ତାରିଖ ମହାରାଷ୍ଟ୍ରରୁ ଫେରିବା ପରେ ତାଙ୍କୁ ଝାରସୁଗୁଡ଼ା ସହରର ପଞ୍ଚପଡ଼ାସ୍ଥିତ ଡାଏଟ୍ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇ ତାଙ୍କ ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା।

ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସାମଲ ପଞ୍ଚପଡା ଡାଏଟସ୍ଥିତ ଅସ୍ଥାୟୀ ମେଡିକାଲ ସେଣ୍ଟର ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଜୋନରେ ସମସ୍ତ ପବ୍ଲିକ ଏବଂ ପ୍ରାଇଭେଟ ଗତିବିଧି ଯଥା- ଦୋକାନ ବଜାର ଖୋଲିବା ଉପରେ ରୋକ ଲଗାଯାଇଛି। ଏହି ଅଞ୍ଚଳର ଚାରିଆଡେ ବ୍ୟାରିକେଟ ଲଗାଯିବା ସହ ପୁଲିସର କଡା ପହରା ଭିତରେ ରହିଛି।

ସେହିପରି ବଫର ଜୋନରେ ମେଡିସିନ ତଥା ଡାକ୍ତରଖାନକୁ ଯିବା ପାଇଁ ଅନୁମତି ଥିବାବେଳେ ଜିଲ୍ଲା ପ୍ରଶାସନର ଅନୁମତି ପରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡିର ଚଳାଚଳ ଓ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ହୋଲସେଲିଂ ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏଁ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏଥିସହ ଯୁବକଙ୍କ କନ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି।