ଏଲଏସିରେ ଚୀନ୍ ସେନାର ସ୍ଥାୟୀ କ୍ୟାମ୍ପ ନିର୍ମାଣ

ନୂଆଦିଲ୍ଲୀ, ଏଜେନ୍ସି: ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଏବଂ ଡେପସଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାରକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂ ଆଲୋଚନା ଜାରି ରଖିଥିବା ବେଳେ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ନିଜର ସାମରିକ ଭିତ୍ତିଭୂମିକୁ ଆହୁରି ଦୃଢ କରୁଛି। ସଡକ ନିର୍ମାଣ ଏବଂ କ୍ଷେପଣାସ୍ତ୍ର ନିୟୋଜନ ବ୍ୟତୀତ ଅଧିକ ସୈନ୍ୟ ଠୁଳ କରିବା ପାଇଁ କ୍ୟାମ୍ପ ତିଆରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ‘ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ତିବ୍ଦତର ଜିଆଣ୍ଟସେରେ ଏକ ବଡ ସେନାକ୍ୟାମ୍ପ ନିର୍ମାଣ କରୁଛି ଯାହା ସ୍ଥଳସେନା ପାଇଁ ଉଦ୍ଦିଷ୍ଟ। ଗତ ଜାନୁଆରୀ ପରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୧ ମସିହାରେ ନିର୍ମାଣ କାମ ଶେଷ ହେବାର ସମ୍ଭାବନା ରହିଛି। ଏହି ସୂତ୍ରରୁ ପ୍ରକାଶ ଯେ, ତିଆରି କରାଯାଉଥିବା ଏହି ନୂତନ ସେନାକ୍ୟାମ୍ପରେ ୬ଟି ବାଟାଲିୟନର କ୍ଷେତ୍ର ମୁଖ୍ୟାଳୟ, ଏକ ପ୍ରଶାସନିକ କୋଠା ଏବଂ ୬୦୦ ରୁ ଅଧିକ ଯାନ ଏବଂ ଯନ୍ତ୍ରପାତି ରହିବା ପାଇଁ ଗ୍ୟାରେଜ ତିଆରି କରାଯାଉଛି। ଜିଆଣ୍ଟସେ ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏକ ଆର୍ଟିଲାରି ବାଟାଲିଅନ୍ ରହିବ ବୋଲି ଜଣାପଡିଛି। ଜଣେ ସେନା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ତିଆରି ହେଉଥିବା ନୂତନ ସେନାକ୍ୟାମ୍ପ ଏପରି ଏକ ସ୍ଥାନରେ ଅବସ୍ଥିତ ଯେଉଁଠାରୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗକୁ ଏବଂ ସିକିମକୁ ସହଜରେ ଯାଇହେବ। ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଅବସ୍ଥିତ ତୱାଙ୍ଗ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ପ୍ରମୁଖ ବିବାଦ ପାଲଟିଛି। ଅଧିକାରୀ ଜଣକ ଆହୁରି କହିଛନ୍ତି, ଜୁନ୍ ଏବଂ ଜୁଲାଇର ଚିତ୍ରରୁ ନିଶ୍ଚିତ ହେଉଛି, ଏକାଧିକ ପଏଣ୍ଟରେ ଚୀନ୍ ସୀମା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରୁଛି।