ଚୀନର ମୁକାବିଲା ପାଇଁ କଶ୍ମୀରରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

କାଶ୍ମୀର,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବା ବେଳେ ଯୁଦ୍ଧ ଆଶଙ୍କାକୁ ଅଧିକ ସମୟ ପାଇଁ ଏଡାଇ ଦିଆଯାଇ ନ ପାରେ। ଏ ନେଇ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇ ଚାଲିଛନ୍ତି। ଏ ନେଇ ଭାରତ ସମ୍ଭାବ୍ୟ ଯୁଦ୍ଧକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ପରିପ୍ରେକ୍ଷୀରେ ଦକ୍ଷିଣ କାଶ୍ମୀରର ଜାତୀୟ ରାଜପଥରେ ବିଜବେହାର ନିକଟରେ ଯୁଦ୍ଧ ବିମାନର ଜରୁରୀ ଅବତରଣ ପାଇଁ ରନୱେ ପ୍ରସ୍ତୁତ କରୁଛି ଭାରତୀୟ ସେନା। ମିଳିଥିବା ସୂଚନା ଅନୁସାରେ ଚୀନ ପକ୍ଷରୁ ପ୍ରକ୍‌ତ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଭାରତ ମଧ୍ୟ ସୀମାରେ ଶକ୍ତିଶାଳୀ ଟି-୯୧ ଟ୍ୟାଙ୍କ ମୁତୟନ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବର୍ତ୍ତମାନ ଖବର ହେଡଲାଇନରେ ପରିଣତ ହୋଇଛି। ଦିନକୁ ଦିନ ବିଗୁଡୁଥିବା ପରିସ୍ଥିତିକୁ ଦେଖି ଦୁଇ ଦେଶ ମଧ୍ୟରେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ନ ହେବ ତାହା କେହି ବି ଆକଳନ କରିପାରୁ ନାହାଁନ୍ତି । ତେଣୁ ସେନା ପକ୍ଷରୁ କୌଣସି ବି କ୍ଷେତ୍ରରେ କିଛି ଉଣା ନ ରହୁ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷିଣ କାଶ୍ମୀରର ବିଜବେହେରା ଠାରେ ୩.୫ କିଲୋମିଟର ଲମ୍ବା ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଉଛି। ଯେକୌଣସି ସମୟରେ ଜରୁରୀକାଳୀନ ଯୁଦ୍ଧ ବିମାନ ଅବତରଣ ପାଇଁ ଏହା ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି।