ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ କୋଲାବିରା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ସରୋଜ ଦାଶ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି । ଅନୁପ ସାଏ ମୋ ପରିବାରର କ୍ଷତି କରିଛି ମୁଁ ତାକୁ ଛାଡ଼ିବିନି ବୋଲି ସରୋଜ କୋଲାବିରା ଥାନାରେ ବଡ଼ ପାଟି କରି କହିଥିଲେ । ପରେ ଏନେଇ କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଝାରସୁଗୁଡ଼ା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ଜଣାଇବା ପରେ ସେ ସରୋଜଙ୍କଠାରୁ ବନ୍ଧୁକ ପ୍ରତ୍ୟାହାର କରିନେବା ସହିତ ଝାରସୁଗୁଡ଼ା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଛତିଶଗଡ଼ର ରାୟଗଡ଼ ଜିଲ୍ଲାସ୍ଥିତ ଚକ୍ରଧରନଗର ଥାନା ଅନ୍ତର୍ଗତ ଏକ ରାସ୍ତାରେ ଗତ ୨୦୧୬ ମସିହାରେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ(୩୨) ଓ ପ୍ରଭାତୀ ଓରଫ୍ ବବଲି ଦାଶ(୧୪)କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ମୃତ କଳ୍ପନା ଦାସର ସମ୍ପର୍କୀୟ ଭାଇ ହେଉଛନ୍ତି ପୁଲିସ କନଷ୍ଟେବଳ ସରୋଜ ଦାଶ । ଏହି ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ସଂପୃକ୍ତିକୁ ନେଇ ସେ ଛତିଶଗଡ଼ କୋର୍ଟରେ ସାକ୍ଷୀ ମଧ୍ୟ ଦେଇଥିବା ଜଣାପଡ଼ିଛି । ମୃତ କଳ୍ପନା ଦାଶ ଓ ବବଲି ଦାଶର ମୃତଦେହ ଫଟୋ ଧରି ଛତିଶଗଡ଼ ପୁଲିସ ପରିଚୟ ଖୋଜୁଥିବାବେଳେ ସରୋଜ ଦାଶ ଉକ୍ତ ମୃତଦେହକୁ ଚିହ୍ନଟ କରିଥିଲେ । ଏନେଇ ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ ସେମିତି କିଛି ଘଟଣା ଘଟିନାହିଁ ବୋଲି କହିଛନ୍ତି । ସରୋଜ ମଦ ପିଇ କେତେକ ଲୋକଙ୍କୁ ଗାଳିଗୁଲଜ କରିବାରୁ ତାକୁ ଜିଲ୍ଲା ହେଡ଼କ୍ୱାର୍ଟରକୁ ବଦଳି କରାଯିବା ସହିତ ତା’ ବନ୍ଧୁକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି । ଗତ ମାର୍ଚ୍ଚ ମାସରୁ ଅନୁପ ସାଏ ଜାମିନରେ ବାହାରି ନିଜ ଘରେ ରହିଥିବାବେଳେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅନୁପଙ୍କୁ ଦେଖିବାକୁ ମିଳିଛି । ତେଣୁ ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।