ଭୁବନେଶ୍ବର,ଏନ୍ଏନ୍ଏସ୍: ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା, ଚର୍ଚ୍ଚା ଆକଳନ ପରେ ଶେଷରେ ଘୋଷଣା ହୋଇଛି ଓଡିଶା କଂଗ୍ରେସର ନୂଆ ମୁଖିଆ। ପୂର୍ବତନ ସାଂସଦ ପୂର୍ବତନ ପିସିସି ସଭାପତି ତଥା ଅନୁଭବି ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ନିଜ ଇସ୍ତଫା ଗ୍ରହଣ ହେବାପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କୃତଜ୍ଞତା ଜଣାଇଛନ୍ତି ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ। ଟ୍ବିଟ୍ କରି ନିରଞ୍ଜନ କହିଛନ୍ତି, “ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ମୋର ବିଶ୍ବାସ, ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା କଂଗ୍ରେସ ଶୀର୍ଷରେ ପହଞ୍ଚିବ। ଓଡିଶା କଂଗ୍ରେସକୁ ସଂଗଠିତ ସୁଦୃଢ କରିବା ପାଇଁ ମୋର ସମର୍ଥନ ମାର୍ଗଦର୍ଶନ ଶରତଙ୍କ ପ୍ରତି ରହିବ। ସଫଳତା ପାଇଁ ଶୁଭକାମନା।”
ସେହିପରି ଓଡିଶା କଂଗ୍ରେସର ସେବା କରିବା ମୋ ପାଇଁ ସମ୍ମାନର କଥା ବୋଲି ନିରଞ୍ଜନ କହିଛନ୍ତି। ଏହାସହ ବିଶ୍ବାସ କରି ଦାୟିତ୍ବ ଦେଇଥିବାରୁ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଉଛି। ସେହିପରି ମୋର କାର୍ଯ୍ୟକାଳ ସମୟରେ ସମର୍ଥନ ସହଯୋଗ ଓ ଦିଗଦର୍ଶନ ଦେଇଥିବାରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ବୋଲି ନିରଞ୍ଜନ ଟ୍ବିଟ୍ କରିଛନ୍ତି। ନିରଞ୍ଜନ ନିଜର ସଭାପତିତ୍ବ କାଳରେ ଓଡିଶାର ପ୍ରଭାରୀ ଭାବେ କାର୍ଯ୍ୟ କରିଥିବା ଜିତେନ୍ଦ୍ର ସିଂ, ଜଗଦିଶ ଟାଇଟଲର, ବର୍ତ୍ତମାନର ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସହପ୍ରଭାରୀ ରୁଦ୍ର ରାଜୁଙ୍କୁ ମଧ୍ୟ ସହଯୋଗ ସମର୍ଥନ ଓ ମାର୍ଗଦର୍ଶନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।