ପଞ୍ଜାବ ବିଧାନସଭା ନିର୍ବାଚନ: ଚମକୌର ସାହିବରୁ ଲଢିବେ ଚନ୍ନି, ଅମ୍ରିତସର ଇଷ୍ଟରୁ ସିଦ୍ଧୁ

ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆଜି ରାଜ୍ୟରେ ଶାସନରେ ଥିବା କଂଗ୍ରେସ ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଚମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ ଲଢୁଥିବା ବେଳେ ଅମୃତସର ପୂର୍ବ ଆନସରୁ ରାଜ୍ୟ ପିସିସି ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ। ସେହିପରି ପ୍ରଥମ ପର୍ଯ୍ୟାୟ ତାଲିକାରେ ଅନେକ ହାଇପ୍ରୋଫାଇଲ ଆସନ ସହ କିଛି ବଡ ଚେହେରାଙ୍କୁ ସ୍ଥାନ ଦେଇଛି ଦଳ।

ମୁଖ୍ୟମନ୍ତ୍ରୀ ଚନ୍ନି ତାଙ୍କ ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କୁ ଦୁଇଟି ଆସନରୁ ଲଢାଇବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଥିଲା। ତେବେ ସେପରି କିଛି ହୋଇନାହିଁ। ସେହିପରି କଂଗ୍ରେସ ଇସ୍ତାହାର କମିଟିର ମୁଖ୍ୟ ତଥା ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ପ୍ରତାପ ବାଜୱାଙ୍କୁ କାଇଦାନ ଆସନରୁ ଟିକେଟ ଦେଇଛି ଦଳ। ପୂର୍ବରୁ ଏହି ଆସନରୁ ତାଙ୍କ ଭାଇ ଫତେହ ଜଙ୍ଗ ପ୍ରତିନିଧିତ୍ବ କରିଆସୁଥିବା ବେଳେ ସେ ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମାତ୍ର ୪ ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ପରଗତ ସିଂ ଜଲନ୍ଦର କ୍ୟାଣ୍ଟରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ଡେପୁଟି ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ସୋନି ବର୍ତ୍ତମାନ ଆସନ ତଥା ଅମୃତସର ମଧ୍ୟରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଅନ୍ୟ ଜଣେ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧଓ୍ବା ଡେରା ବାବା ନାନକ ଆସନରୁ ନିର୍ବାଚନ ଲଢିବା ନେଇ ସ୍ଥିର କରିଛି ଦଳ।