ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆବାସ ବାହାରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କ ବିରୋଧରେ ଖୁବ୍ ନାରାବାଜି କରିଛନ୍ତି।
ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବି କହିଛନ୍ତି ଯେ, ‘ସ୍ମୃତି ଇରାନୀ ବିପକ୍ଷରେ ଥିବା ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ୫ଟଙ୍କା ବୃଦ୍ଧିକୁ ନେଇ ସଡ଼କରେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। ଆଜି ଯେତେବେଳେ ସବୁଆଡ଼େ ଦରବୃଦ୍ଧିର ମାଡ଼ ହେଉଛି ସେ ମୌନ ଅଛନ୍ତି। ସେଥିପାଇଁ ଆଜି ଯୁବ କଂଗ୍ରେସ ତାଙ୍କୁ ନିଦରୁ ଉଠାଇବାକୁ ପ୍ରୟାସ କରିଛି।
ଅନ୍ୟପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ତୈଳଦର ବୃଦ୍ଧି ପାଇଁ ଶୀତ ଋତୁକୁ ଦାୟୀ କରିଥିଲେ। ଆଉ ତାଙ୍କର ଏହି ବୟାନକୁ ଶ୍ରୀନିବାସ ମୂଲ୍ୟହୀନ ଦର୍ଶାଇ ଇସ୍ତାଫା ଦାବି କରିଛନ୍ତି। ଏଥିସହ ଯଥାଶୀଘ୍ର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର କମାଇବାକୁ ମଧ୍ୟ ଦାବି କରିଛନ୍ତି।