ଓବିସି ସଂରକ୍ଷଣରେ ସରକାରଙ୍କ ସହ ଆସିଲା କଂଗ୍ରେସ, ସଂଶୋଧନ ବିଧେୟକକୁ ଦେବ ସମର୍ଥନ

ନୂଆଦିଲ୍ଲୀ,ଏଜେନ୍ସି: ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ମୌସୁମି ଅଧିବେଶନର ଶେଷ ସପ୍ତାହର ଗୃହ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ମୋଦୀ ସରକାର ଗୁରୁତ୍ଵପୂର୍ଣ୍ଣ ବିଧେୟକ ଗୃହୀତ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଥିରେ ସବୁଠୁ ମହତ୍ୱପୂର୍ଣ୍ଣ ବିଷୟ ରହିଛି ଓବିସି ସଂରକ୍ଷଣ (ପଛୁଆ ବର୍ଗ) ପାଇଁ ସାମ୍ବିଧାନିକ ସଂଶୋଧନ ବିଧେୟକ। କେନ୍ଦ୍ର ସରକାର ଏହି ବିଧେୟକକୁ ସୋମବାର ଲୋକସଭାରେ ଉପସ୍ଥାପନ କରିବେ। ଉଲ୍ଲେଖନୀୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ବିଧେୟକକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଯଦି ବିଧେୟକ ପାରିତ ହୁଏ ତେବେ ରାଜ୍ୟଗୁଡିକୁ କେଉଁ ଜାତିକୁ ଓବିସି ତାଲିକାଭୁକ୍ତ କରାଯିବ ତାର ନିର୍ଣ୍ଣୟ ନେବାର ଅଧିକାର ମିଳିଯିବ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି, ସମସ୍ତ ବିରୋଧୀ ପାର୍ଟି ୧୨୭ ତମ ସମ୍ବିଧାନ ସଂଶୋଧନ ବିଧେୟକର ସମର୍ଥନ କରିବାକୁ ପ୍ରସ୍ତୁତ। ସଂସଦ ଭବନରେ ଆଜି ଅନୁଷ୍ଠିତ ବିରୋଧୀ ଦଳ ବୈଠକରେ ଖଡଗେ ଏହି ସୂଚନା ଦେଇଛନ୍ତି। ଏହି ବିଧେୟକକୁ ପାରିତ କରିବା ପାଇଁ ବିରୋଧୀ ଦଳ ସମର୍ଥନ କରିବ ନାହିଁ ବୋଲି ଆଶା କରାଯାଉଥିବା ବେଳେ ଏବେ ଏହାର ଠିକ ଓଲଟା ଘଟିଛି। ବିରୋଧୀ ଦଳ ଏହି ବିଧେୟକକୁ ସମ୍ପୂର୍ଣ୍ଣଭାବେ ସମର୍ଥନ କରିବେ ବୋଲି ଜଣାପଡ଼ିଛି। ସେ କହିଛନ୍ତି, ବିରୋଧୀ ପାର୍ଟି ସରକାରଙ୍କୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି।