ଏବିଜି ସିପ୍‌ୟାର୍ଡ ଘୋଟାଲା; କଂଗ୍ରେସ୍‌କୁ ଦୋଷ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନର ସରକାର ଅମଳରେ ନୁହେଁ; ପୂର୍ବବର୍ତ୍ତୀ ଅର୍ଥାତ୍ ୟୁପିଏ ସରକାର ଅମଳରେ ଏବିଜି ସିପ୍‌ୟାର୍ଡ ଖାତାକୁ ଏନ୍‌ପିଏରେ ପରିବର୍ତ୍ତିତ କରାଯାଇଛି। ଘୋଟାଲା ପାଇଁ କଂଗ୍ରେସ ସରକାର ଦାୟୀ। ଅପରପକ୍ଷରେ ଏନ୍‌ଡିଏ ଅମଳରେ ସରକାର ବ୍ୟାଙ୍କ୍‌ଗୁଡ଼ିକର ସ୍ଥିତି ସୁଧାରିବା ସହିତ ବଜାରରୁ ଧନ ଜୁଟାଇବାରେ ପ୍ରୟାସ କରିଆସିଛନ୍ତି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ବୋର୍ଡ ବୈଠକକୁ ସମ୍ବୋଧିତ କରିବା ପରେ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ସେ କହିଛନ୍ତି ଯେ ସାଧାରଣତଃ ଧାର୍ଯ୍ୟ ସମୟ ସୀମାରୁ କମ୍ ସମୟରେ ଏହି ଘୋଟାଲାର ପର୍ଦ୍ଦାଫାସ୍ କରାଯାଇଛି। ଏହି ସ୍ୱତନ୍ତ୍ର ମାମଲାରେ ବ୍ୟାଙ୍କ୍‌ଗୁଡ଼ିକର ପଦକ୍ଷେପକୁ ସମର୍ଥନ କରିବା ଉଚିତ୍। ସାଧାରଣତଃ ଏପରି ଘୋଟାଲା ଉପରୁ ପର୍ଦ୍ଦା ଉଠାଇବା ଓ ପଦକ୍ଷେପ ଗ୍ରହଣ କରିବାକୁ ୫୨ରୁ ୫୬ ମାସ ସମୟ ଲାଗିଥାଏ। ଏହାଠୁ କମ୍ ସମୟରେ ଏହି ଘୋଟାଲା ଉପରେ ପଦକ୍ଷେପ ନିଆଯାଇପାରିଛି । ଏହାବ୍ୟତୀତ ଏନ୍‌ସିଏଲ୍‌ଟିର ଯାଞ୍ଚ୍ ମଧ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ଯେ ଏବିଜି ସିପ୍‌ୟାର୍ଡ କମ୍ପାନୀ ଏହାର ପୂର୍ବତନ ଅଧ୍ୟକ୍ଷ ଋଷି କମ୍‌ଳେଶ ଅଗ୍ରୱାଲ୍‌ଙ୍କ ନେତୃତ୍ୱରେ ୨୮ଟି ବ୍ୟାଙ୍କ୍‌ରୁ ୨୨,୮୪୨ କୋଟି ଟଙ୍କାର ଋଣ ନେଇଥିଲେ। ଏସ୍‌ବିଆଇର ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସିବିଆଇ ଗତ ୭ ଫେବୃଆରୀରେ ମାମଲା ଦାଖଲ କରି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲା। ଦେଶର ସର୍ବବୃହତ୍ ବ୍ୟାଙ୍କ୍ ଘୋଟାଲାକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କ ଉପରେ ପ୍ରହାର କରିଥିଲା।

ଏନ୍‌ଡିଏ ଅମଳରେ ଦେଶରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ୍‌ ଘୋଟାଲା ହୋଇଛି। ଅଭିଯୁକ୍ତ ଦେଶତ୍ୟାଗ କରି ପଳାୟନ କରୁଛନ୍ତି। ଗତ ୭୫ ବର୍ଷ ମଧ୍ୟରେ ଜନତାଙ୍କ ପଇସାର ଏପରି ହରିଲୁଟ୍ ହୋଇନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ଆକ୍ଷେପ କରିଥିଲେ।