ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ବାହାରି ପ୍ରତିବାଦ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା।
ଅର୍ନ୍ତଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବ୍ୟାରେଲ୍ ପିଛା ୪୬ ଟଙ୍କା ଥିବା ବେଳେ କିପରି ଭାବେ, ଏହା ବଜାରରେ ପାଖାପାଖି ୮୫ ଟଙ୍କାରେ ବିକ୍ରୀ ହେଉଛି। ଏଥିରୁ ଜଣାପଡୁଛି ଉଭୟ ସରକାର ଲୋକଙ୍କୁ ଟିକସ ବାବଦରେ ଲୁଟୁଛନ୍ତି। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ବିଗତ ୧ ମାସ ଭିତରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇ ୭୨୦ ରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନ ଦେଖାଇଥିବା ଆଚ୍ଛେ ଦିନ ଲୋକଙ୍କ ପାଇଁ ପରିହାସ ପାଲଟିଛି। ବିଗତ କିଛି ମାସ ହେବ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା। ଏବେ ତା’ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ବୋଝ ଉପରେ ଲଳିତା ବିଡ଼ା ସଦୃଶ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଯୁବ କଂଗ୍ରେସ ପ୍ରଭାରୀ ରିୟାଜୁଲ୍ ଅନସାରୀ, ଯୁବ କଂଗ୍ରେସର ଅଜୟ ସାହୁ, ସଂକୁନା କହଁର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।