ପରୀ ଅପହରଣ ଓ ମୃତ୍ୟୁ ପ୍ରସଙ୍ଗ : ଖସିଯିବାକୁ ଉଦ୍ୟମ କରୁଛନ୍ତି ମନ୍ତ୍ରୀ – କଂଗ୍ରେସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପରୀ ଅପହରଣ ଓ ହତ୍ୟା ଘଟଣାରେ ନିଜର ସହଯୋଗୀକୁ ସୁରକ୍ଷା ଦେଇ ହରଡଘଣାରେ ପଡିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବେ ଖସିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଗତ ଜୁଲାଇ ୧୪ ତାରିଖ ଦିନ ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକା ‘ପରୀ’ର ଅପହରଣ ସମ୍ପର୍କରେ ପରିବାର ପକ୍ଷରୁ ନୟାଗଡ ସଦର ଥାନାରେ ଅଭିଯୋଗ ହୋଇଥିଲା। ଠିକ୍ ୭ ଦିନ ପରେ ସେହି ଗାଁର ତାଙ୍କ ଘର ନିକଟରେ ଥିବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ନାବାଳିକା ପରୀର ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା।

ଏହି ଘଟଣା ଆଜକୁ ପ୍ରାୟ ୫ ମାସ ବିତିଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ପ୍ରତିବାଦ ଏବଂ ସବୁ ଫୋରମର ନିର୍ଦ୍ଦେଶକୁ ପୁଲିସ ବେଖାତିର କରିବା ପରେ ଶେଷରେ କୌଣସି ଉପାୟ ନପାଇ ପରୀର ପିତାମାତା ଗୃହ ଚାଲୁଥିବା ସମୟରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ୍ ଦାସ, ଜିନେଶ ଦାସ, ହୁସେନ୍ ଖାଁ ଓ କମଳ ଚରଣ ସାହୁ ଉପସ୍ଥିତ ଥିଲେ।