୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବୁଧବାର ରାଜ୍ୟ ସରକାର ୪ ଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନେ ହେଲେ ଭଲିବଲ୍ କୋଚ୍ ପ୍ରଭାକର ତ୍ରିପାଠୀ, ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡ୍‌ବଲ୍ କୋଚ୍ ମନୋଜ କୁମାର ଦାସ ଓ ଭଲିବଲ୍ କୋଚ୍ ଜ୍ଞାନେନ୍ଦ୍ର୍ର ପ୍ରସାଦ ବଢ଼େଇ। ଗୋଟିଏ ପଟେ ଶ୍ରୀ ବଢ଼େଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଶ୍ରୀ ତ୍ରିପାଠୀ ଗଜପତି, ଶ୍ରୀ ଦାସ ଭଦ୍ରକ ଓ ଶ୍ରୀ ଅଧିକାରୀ ଦେବଗଡ଼ ଜିଲ୍ଲା କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହି ୪ ଜଣ କୋଚ୍‌ଙ୍କୁ ସେମାନଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ ପୂର୍ବକ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

କ୍ରୀଡ଼ା ସହ ଜଡ଼ିତ କୋଚ୍‌ମାନଙ୍କ ଦକ୍ଷତା ଓ ସଫଳତାର ସମୀକ୍ଷା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଏକ ରିଭ୍ୟୁ କମିଟି ଗଠନ କରାଯାଇଥିବା ବେଳେ ଏହି କମିଟି ଉପରୋକ୍ତ କୋଚ୍‌ମାନଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। ପୂର୍ବରୁ ଗତ ୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା, ଯେଉଁଥିରେ ୫୦ କିମ୍ବା ତଦୁର୍ଦ୍ଧ୍ୱ ବୟସର କୌଣସି ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନ ହେଲେ କିମ୍ବା କର୍ତ୍ତବ୍ୟ ପାଳନରେ ଅବହେଳା କରୁଥିବା ପରିଲକ୍ଷିତ ହେଲେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।