କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ, ଯୁବକ ଗିରଫ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନା ଅନ୍ତର୍ଗତ ରାମନାଗୁଡ଼ା ବ୍ଲକର ଗୁମୁଡ଼ାସ୍ଥିତ ମୁଖ୍ୟ ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷମକଟକ ବଡ଼ ଦୁଆର ସାହିର ନିହାରିକା ମହାନ୍ତି(୧୯) ନାମ୍ନୀ ଜଣେ କଲେଜ ଛାତ୍ରୀ ଗୁମୁଡ଼ାସ୍ଥିତ ଦ୍ରୌପଦୀ ଜୁନିୟର କଲେଜରେ ପରୀକ୍ଷା ସାରି ନିଜ ଘର ବିଷମକଟକକୁ ଯିବା ପାଇଁ ଗୁମୁଡ଼ା ମୁଖ୍ୟ ବଜାରରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ବିଷମକଟକର କେ. ତିରୁମାଲା(୨୮) ନାମକ ଜଣେ ଯୁବକ ନିହାରିକାଙ୍କ ନିକଟକୁ ଆସି ଛୁରୀ ସାହାଯ୍ୟରେ ବେକ କାଟିବା ସହ ଗୁମୁଡ଼ାସ୍ଥିତ ପୁଲିସ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ନିହାରିକାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ଗୁଡ଼ାରି ଥାନାରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗୁଡ଼ାରି ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଥିବା ନେଇ ଥାନାଧିକାରୀ ଦୀନବନ୍ଧୁ ଶବର କହିଛନ୍ତି । ଏହି ଘଟଣା ପଛରେ ପ୍ରେମଜନିତ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।