ଫିରିଙ୍ଗିଆରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ର ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ବୃନ୍ଦାଡିଙ୍କ ସହ ଜିଲ୍ଲା ଆରକ୍ଷୀ ଆଧିକ୍ଷକ ବିନୀତ ଅଗ୍ରୱାଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଞ୍ଜନ ନାୟକ, ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଯୋଗଦେଇଥିବା ବେଳେ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ଓ ପରିମଳ ବିଭାଗ, ଯୋଗାଣ ବିଭାଗ ସହ ବ୍ଲକ୍‌ ଓ ଜିଲ୍ଲାର ପ୍ରାୟ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ର ସମୁଦାୟ ୨୪ଟି ପଞ୍ଚାୟତର ୮୫ ଜଣ ଲୋକ ଜିଲ୍ଲାପାଳଙ୍କ ପାଖରେ ବିଭିନ୍ନ ସମସ୍ୟାକୁ ନେଇ ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ। ବିଶେଷକରି ବିଭିନ୍ନ ଗ୍ରାମାଞ୍ଚଳରେ ଲାଗି ରହିଥିବା ପାଣି ସମସ୍ୟା, ପ୍ରାଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ଆବାସ ଯୋଜନା, ରାସ୍ତା ଘାଟ ସମସ୍ୟା ଉପରେ ଅଧିକ ଅଭିଯୋଗ ଦାଖଲ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ମୃତିକା ସଂରକ୍ଷଣ ବିଭାଗ ଅଧିକାରୀ, ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କୋଭିଡ଼ କଟକଣା ଓ ଗ୍ରୀଷ୍ମ ପ୍ରବାହ ପାଇଁ ବ୍ଲକ୍‌ କାର୍ଯ୍ୟାଳୟ ତରଫରୁ ସ୍ୱତନ୍ତ୍ର ପଦରେ ନିଆଯାଇଥିଲା।