ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଚଂଳରେ ଡ୍ରେନେଜ ସାଙ୍ଗକୁ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବାବେଳେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସାଧାରଣଙ୍କ ଅଭିଯୋଗ ପରେ ଆଜି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ସମୀକ୍ଷା କରିଥିବା ଜଣାପଡ଼ିଛି। ଦେବଗଡ଼ ପୌରପରିଷଦ ଅଧୀନରେ ଥିବା ଡ୍ରେନଗୁଡ଼ିକ ରକ୍ଷଣାବେକ୍ଷଣ ସହ ସଫେଇ ଅଭାବରୁ ପୋତି ହୋଇଯାଇଛି। ଫଳରେ ବର୍ଷା ପରେ ସହର ସାରା ଡ୍ରେନରେ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ସେହିପରି ପୌରପରିଷଦ ପକ୍ଷରୁ ବର୍ଷା ପୂର୍ବରୁ ଡ୍ରେନ ଗୁଡ଼ିକର ନିର୍ମାଣ ଓ ମରାମତି କାର୍ଯ୍ୟ କରିବା ବଦଳରେ ଅନେକ ସ୍ଥାନରେ ବର୍ଷା ସମୟରେ କରାଯାଉଥିବାରୁ ଜନସାଧାରଣ ହଇରାଣ ହେଉଛନ୍ତି। ପୌରପରିଷଦର ଏଭଳି କାର୍ଯ୍ୟଶୈଳୀକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଛି। ପୁରୁଣା ପୋଷ୍ଟ ଅଫିସ ଛକଠାରେ ଡ୍ରେନ ପାଣି ରୋକିବାକୁ ପୌରପରିଷଦ ପକ୍ଷରୁ ଗତ ୨ ଦିନ ପୂର୍ବେ ସେସପୁଲ ଟ୍ୟାଙ୍କରର ସହାୟତା ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
