ଛିଡ଼ିଗଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜାତୀୟ ପତାକା

ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ଦେବଗଡ଼ ସହରରେ ଗତ କିଛି ବର୍ଷ ହେଲା ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ସହରବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଶିଶୁ ଓ ବୟସ୍କଙ୍କ ଏହା ନିତିଦିନିଆ ଘଟଣା ସାଜିଛି। ତେବେ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକା ଛିଡ଼ି ପଡ଼ିଥିଲା। ସୂଚନା ଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ପ୍ରତ୍ୟହ ସକାଳେ ଜାତୀୟ ପତାକା ଲଗାଯାଉଥିବା ବେଳେ ସନ୍ଧ୍ୟାରେ ଓହ୍ଲାଇ ଦିଆଯାଇଥାଏ। ଏହି କ୍ରମରେ ଗତକାଲି ମଧ୍ୟ ପତାକାକୁ ଲଗାଯାଇଥିବା ବେଳେ ସନ୍ଧ୍ୟାରେ ପତାକା ଓହ୍ଲାଇବା ପୂର୍ବରୁ ମାଙ୍କଡଙ୍କ ଏକ ଦଳ ଉକ୍ତ ଜାତୀୟ ପତାକା ବନ୍ଧା ଯାଉଥିବା ରଶିକୁ କାମୁଢି ଛିଣ୍ଡାଇବା ସହ ପତାକାକୁ ମଧ୍ୟ ନଷ୍ଟ କରି ଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ପତାକା ଓହ୍ଲାଇବା ସମ୍ଭବ ହୋଇପାରି ନଥିଲା। ପରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ସୂଚନା ପାଇ ଦେବଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସିଡି ସହାୟତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋଠାକୁ ଚଢି ଜାତୀୟ ପତାକାକୁ ଓହ୍ଲାଇବା ସହ ନୂତନ ରଶି ବାନ୍ଧି ଥିଲେ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋଠାରେ ବନ୍ଧା ଯାଉଥିବା ଜାତୀୟ ପତାକା ଓ ରଶି ଦୀର୍ଘ ବର୍ଷର ପୁରୁଣା ହୋଇଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଉକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ମତ ପ୍ରକାଶ କରିଥିଲେ।