ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ

ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶା ସରକାରଙ୍କ ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ସମ୍ମାନ ମିଳିଛି । ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫି ଓ ପୁରସ୍କାର ଗ୍ରହଣ କରିଛନ୍ତି । ଇକୋନୋମିକ ଟାଇମ୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ”ନବେ ଦଶକରେ ଓଡ଼ିଶା ଦାରିଦ୍ର୍ୟ ଏବଂ ଭୋକିଲା ପାଇଁ ଖବରର ଶୀର୍ଷ ମଣ୍ଡନ କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାର୍ଯ୍ୟକ୍ରମ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟରେ ଖାଦ୍ୟ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଆଜି ସାକାର ହୋଇଛି । ୨୦୧୧ ଜନଗଣନା ଆଧାରରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଚଳନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ସେଥିରେ ଯୋଡିଛି । ଫଳରେ ଅଧିକ ଲୋକ ଉପକୃତ ହେଉଛନ୍ତି ।”

ଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଇଟାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ୫ଟି ପ୍ରଚଳନ ଯୋଗୁଁ ଖାଦ୍ୟ ସୁରକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶାକୁ 1 ନମ୍ବର ରାଜ୍ୟର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସରେ କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୁଷ ଗୋଏଲ ଏହି ଘୋଷଣା କରିଛନ୍ତି ।