ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ବିମାନବନ୍ଦରର ନାମ ‘ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର’ ରଖିବାକୁ ସେ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ପୁରୀ ଏକ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର। ହିନ୍ଦୁମାନଙ୍କ ପବିତ୍ର ଚାରି ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। ପୃଥିବୀରୁ ପ୍ରାୟ ୧୯୨ ଦେଶର ଯାତ୍ରୀ ଶ୍ରୀଜିଉଙ୍କ ରଥଯାତ୍ରା ଦେଖିବାକୁ ଆସିଥାନ୍ତି। ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ। ଚିଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ। ସେଥିପାଇଁ
ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଏହି ମର୍ମରେ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ପୁରୀକୁ ‘ବିଶ୍ୱ ଐତିହ୍ୟ ନଗରୀ’ରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ସାରା ବିଶ୍ୱରୁ ଆସୁଥିବା ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀମନ୍ଦିର ଦର୍ଶନ ସହିତ ପୁରୀରେ ଥିବା ସ୍ୱର୍ଣ୍ଣାଭ ବେଳାଭୂମି ତଥା ଶହ ଶହ ସଂଖ୍ୟାରେ ଥିବା ଐତିହ୍ୟ ସ୍ମାରକୀକୁ ଦେଖି ବିମୋହିତ ହୋଇଥାନ୍ତି। ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ପ୍ରତିଦିନ ପୁରୀ ଆସିଥାନ୍ତି। ପୁରୀ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଦିଗନ୍ତବିସ୍ତାରୀ ନୀଳାମ୍ବୁ ଚିଲିକା, ଉତ୍ତରକୁ ୩୫ କିଲୋମିଟର ଦୂରରେ ଥିବା ବିଶ୍ୱପ୍ରସିଦ୍ଧ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ କୋଣାର୍କ ମନ୍ଦିର, ପ୍ରାୟ ୫୦ କିମି ଦୂରରେ ଥିବା ଶାନ୍ତି ସ୍ତୁପ ଧଉଳି ଏବଂ ମନ୍ଦିର ସନ୍ନିକଟ ଚନ୍ଦ୍ରଭାଗା ବେଳାଭୂମି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର। ପୁରୀ-କୋଣାର୍କ-ଚିଲିକାକୁ ନେଇ ହୋଇଛି ପର୍ଯ୍ୟଟନ ସର୍କିଟ୍। ପୁରୀ-କୋଣାର୍କ ରାସ୍ତାରେ ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ଜାତୀୟ ଓ ଅନ୍ତର୍ଜତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ପୁରୀ ମଧ୍ୟ ଚିିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ‘ରାମସର ସାଇଟ୍’ ସହିତ ସିଧାସଳଖ ସଂଯୁକ୍ତ। ଏହି ଦୁଇ ସ୍ଥାନରେ ଅର୍ନ୍ତଜାତୀୟ ପରିବେଶ ପର୍ଯ୍ୟଟନ ପାଇଁ ଭରପୁର ସୁଯୋଗ ରହିଛି। ନିକଟରେ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନୁଭୂତି ଦେବା ନିମନ୍ତେ ‘ବ୍ଲୁ ଫ୍ଲାଗ୍ ବିଚ୍’ ଭାବରେ ବିକଶିତ କରାଯାଇଛି। ସେଥିପାଇଁ ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ବି ଲାଭ କରିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ପୁଣି ଦର୍ଶାଇଛନ୍ତି ଯେ ପୁରୀକୁ ନେଇ ଅର୍ଥନୈତିକ ବିକାଶ ସମ୍ଭବ। ପୁରୀ ଉପକୂଳ ଦେଇ ଯାଉଥିବା ଉପକୂଳ ରାଜପଥ ଅର୍ଥନୈତିକ କାରବାରରେ ପ୍ରମୁଖ ଅଂଶ ହେବ। ତେଣୁ ପୁରୀକୁ ନେଇ ଅନେକ କାର୍ଯ୍ୟ କରିହେବ। ପ୍ରସ୍ତାବିତ ‘ବେଳାଭୂମି ରାଜମାର୍ଗ’ ବା ‘କୋଷ୍ଟାଲ ହାଇୱେ’ ଚିଲିକା, ପୁରୀ, କୋଣାର୍କ, ପାରାଦୀପ, ଭିତରକନିକା ଓ ଚାନ୍ଦିପୁର ପାଶ୍ୱର୍ ଦେଇଯିବ। ପାରାଦୀପ ଓ ଅସ୍ତରଙ୍ଗ ବନ୍ଦର ସହିତ ମଧ୍ୟ ପୁରୀ ସଂଯୋଗ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି। ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ। ଏନେଇ ପୁରୀରେ ଜମି ଚିହ୍ନଟ ହୋଇ ସାରିଛି। ନିର୍ଦ୍ଧାରିତ ସମୟରେ ତାହା କରିବାକୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି।
