ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡୀୟ ଡାକ୍ତରଖାନାରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାକ୍ତରଖାନା ପରିସରରେ ଥିବା ସମସ୍ତ ସ୍ଥାନରେ କୁଢ଼ କୁଢ଼ ମଇଳା ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଡାକ୍ତରଖାନାରେ ସଫେଇ କରିବା ପାଇଁ ଭୁବନେଶ୍ୱରର ଏକ ଏନଏଚଏନ ସଂସ୍ଥା ଠିକା ନେଇଥିଲା । ହେଲେ ଏହି ସଂସ୍ଥା ସଫେଇ କର୍ମଚାରୀଙ୍କୁ ନିୟମିତ ଦରମା ମିଳୁ ନଥିବାରୁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାର ପ୍ରତିବାଦରେ ଡାକ୍ତରଖାନାର ୨୦ଜଣ ସଫେଇ କର୍ମଚାରୀ ଆଜି ଡାକ୍ତରଖାନା ଅଫିସ ସମ୍ମୁଖରେ ଧାରଣା ଦେବାସହ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଏନେଇ ଖବର ପାଇ ଏସଡିଏମଓ ଧାରଣାସ୍ଥଳକୁ ଆସି ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆମକୁ ଠିକ ସମୟରେ ଦରମା ମିଳୁନି ତେଣୁ ଯେପର୍ଯ୍ୟନ୍ତ ଦରମା ମିଳିନି ଆମେ ଧାରଣାରେ ବସି ରହିବୁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏସମ୍ପର୍କରେ ଏସଡିଏମଓଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଏହି ଧାରଣାରେ ନିରୂପାମା କୁମ୍ଭାର, ରାକେଶ ଦୀପ, ଛନ୍ଦାଚରଣ ତଅଲା, ସୁରେଶ ମହରା, ଅର୍ଚ୍ଚନା ସୁନା, ଆଶା ସେନ୍ଦ୍ରିଆ, ରାକେଶ ଷଣ୍ଢ ଓ ଅଞ୍ଜଳି ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।